• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ଯୋଦ୍ଧା ଘୋଷଣା । ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି । ବିଜେପି ସମସ୍ତ ଲୋକସଭା ସହ ସବୁଠୁ ଅଧିକ ୧୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଆହୁରି ୪୫ ସିଟରେ ନାଁ ଘୋଷଣା କରିନାହିଁ ।

ସେହିପରି ବିଜେଡି ଏଯାଏଁ ବାଲେଶ୍ୱର ସିଟ୍ ପାଇଁ ପ୍ରାର୍ଥୀ ଦରାଣ୍ଡୁ ଥିଲା ବେଳେ ୩୯ ବିଧାନସଭା ଆସନ ବି ଦଳର ପ୍ରାର୍ଥୀ ଖୋଜା ସରୁନି । ଦୁଇ ଦଳ ବିଜେପି-ବିଜେଡି ବାକିଥିବା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଯେମିତି ଛକାଛକି ସ୍ଥିତିରେ ଅଛନ୍ତି । କଂଗ୍ରେସର ସ୍ଥିତି ବି ତଦ୍ରୁପ । ଦଳ ୮ ଲୋକସଭା ଓ ୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ଆହୁରି ୧୩ ଲୋକସଭା ଓ ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ।

ଆସନ୍ତା ମେ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ଚଳିତ ମାସ ୧୮ ତାରିଖ ରହିଛି ନାମାଙ୍କନ ପାଇଁ ତାରିଖ । ତେବେ ୩ ପ୍ରମୁଖ ଦଳ କେବେ ବାକି ଆସନରେ ଟିକେଟ ଘୋଷଣା କରୁଛନ୍ତି ତା ଉପରେ ଏବେ ନଜର । ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ କୁହୁଳୁଛି କି ବିଜେଡି ଅନ୍ତର୍କନ୍ଦଳ ?

ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେବା ପରେ ଦେଖାଦେଲା କି ଦଳୀୟ ଫାଟ ? ତେଲ ଓ ପାଣି ଏକ୍ ହୋଇପାରିବେନି ବୋଲି ଖୋଲାଖୋଲି କହିଲେ ନୀଳଗିରି ସିଟ୍ ପାଇଁ ଅନ୍ୟତମ ବିଜେଡି ଟିକେଟ୍ ଆଶାୟୀ ସନ୍ତୋଷ ଖଟୁଆ । ଗତକାଲି ସନ୍ଧ୍ୟାରେ ସନ୍ତୋଷ ଖଟୁଆ ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ ।

ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସେ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଧାୟକ ସୁକାନ୍ତ ନାୟକ ଦଳରେ ମିଶିବା ପରେ ତାଙ୍କୁ ବିଜେଡି ଟିକେଟ୍ ମିଳିବା ଆଶା ଅଧିକ ବୋଲି ଚର୍ଚ୍ଚା ହେଉଛି । ତେବେ ସୁକାନ୍ତ ଓ ସନ୍ତୋଷ ମିଶିବା ପ୍ରଶ୍ନରେ ତେଲ ଓ ପାଣି ଏକ ହୋଇପାରିବେନି ବୋଲି କହିଛନ୍ତି ସନ୍ତୋଷ ।

ସେପଟେ ତେଲକୋଇରେ ବି ଆଶାୟୀଙ୍କୁ ନେଇ ଅଡୁଆରେ ବିଜେଡି । ନିର୍ବାଚନମଣ୍ଡଳୀରେ ମାଟିର ପୁଅକୁ ଟିକେଟ ଦେବାକୁ ଦାବି ଜୋର ଧରିଛି । କେନ୍ଦୁଝର ବିଜେଡିର ଜିଲ୍ଲା ସଭାପତି ମାଧବ ସର୍ଦାରଙ୍କୁ ଦଳ ପ୍ରାଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନ ମଣ୍ଡଳୀରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ବହୁ ଯୋଗ୍ୟ ପ୍ରାର୍ଥୀ ଆଶାୟୀ ରହିଥିବାରୁ ବାହାର ନିର୍ବାଚନମଣ୍ଡଳୀର ଲୋକଙ୍କୁ ଦଳ ପ୍ରାର୍ଥୀ କଲେ ନିର୍ବାଚନ ଅଙ୍କ ଭୁଲ ହେବ ବୋଲି କର୍ମୀ ଚେତାବନୀ ଦେଇଛନ୍ତି ।