• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି । ଗଡ଼ିଲା ରାଜନୈତିକ ଦଳର କର୍ମୀଙ୍କ ମୁଣ୍ଡ। ରକ୍ତରେ ଭିଜିଲା ଖଲ୍ଲିକୋଟ ମାଟି । ରାଜନୈତିକ ହତ୍ୟା ପରେ ରଣକ୍ଷେତ୍ର ପାଲଟିଛି ଇଲାକା । ମୃତକଙ୍କ ସଂପର୍କୀୟ ଓ ସମର୍ଥକ ଉତ୍ତ୍ୟକ୍ତ ହୋଇ କେଉଁଠି ରାସ୍ତାରୋକ କରିଛନ୍ତି । ତ ଆଉ କେହି ଥାନାକୁ ଘେରିଛନ୍ତି । ତେଣେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିବା ସମୟରେ ପୋଲିସ ଗାଡ଼ି ଉପରକୁ ପଥର ସହ ପାଣି ବୋତଲ ମାଡ଼ ହୋଇଛି। ପୋଲିସ ବି ଲାଠିମାଡ଼ କରିଛି ।

ଦିଲୀପ ପାହାନ ନାମକ ଜଣେ ବିଜେପି କର୍ମୀଙ୍କୁ ଗତରାତିରେ ହତ୍ୟା ପରଠୁ ଆଜି ଅପରାହ୍ନ ଯାଏଁ ଲାଗିରହିଥିଲା ଉତ୍ତେଜନାମୂଳକ ସ୍ଥିତି। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ପୋଲିସ ବି ଥାନା ସାମ୍ନାରେ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଏଭଳି ଭଙ୍ଗାରୁଜା କରିଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିକୁ ବି ପଥରରେ ଛେଚି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଶେଷରେ ଖଲ୍ଲିକୋଟ ଥାନା ନିକଟରେ ୧୪୪ ଧାରା ଜାରି ପରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦାପଙ୍କ ପାୱାର ଦେଖି ଭେଲକା BJD !

ବୁଧବାର, ରାତି ପ୍ରାୟ ୮ଟା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ତୁମୁଳକାଣ୍ଡ । ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ଦିଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ପୂର୍ବଦିନ ବ୍ୟାନର ମରାକୁ ନେଇ ଧମକ ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦିଲୀପ । କିନ୍ତୁ, ପୋଲିସ କୌଣସି ଆକ୍ସନ ନେଇ ନ ଥିବା ଅଭିଯୋଗ ହୋଇଛି । ୨ ମାସ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଦିଲୀପ । ବିଜେଡିରେ ଥାଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦିଲୀପ କୁଆଡ଼େ ବିରୋଧ କରିଆସୁଥିଲେ । ଏପରିକି ସୂର୍ଯ୍ୟମଣିଙ୍କ ବଦଳରେ ଅନ୍ୟ କାହାକୁ ଟିକଟ ଦେବାକୁ ନବୀନ ନିବାସ ଆସି ଦାବି କରିଥିଲେ ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଦିବଂଗତ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରା ସାକେତ ରାମାରାଓଙ୍କ ଆଡ଼କୁ ଇଙ୍ଗିତ କରିଛି ବିଜେପି । ବିଜେପିର ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା କଥା, ଗତରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା। ସେଠାରେ ଷଡ଼ଯନ୍ତ୍ର ରଚି ବିଜେପି କର୍ମୀଙ୍କୁ ହମଲା କରାଯାଇଥିଲା। ତେବେ ଅଭିଯୋଗ ନେଇ ସାକେତ ରାମାରାଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଆସନ୍ତା ୨୦ରେ ଖଲ୍ଲିକୋଟରେ ପଡ଼ିବ ଭୋଟ୍ । ତା’ପୂର୍ବରୁ ଏଭଳି ରାଜନୈତିକ ହିଂସାକୁ ନିନ୍ଦା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପୋଲିସ ଘଟଣାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ତେଣେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଗଣତନ୍ତ୍ରକୁ ଗୁଣ୍ଡାତନ୍ତ୍ରରେ ପରିଣତ କରିବାକୁ ଶାସକ ଦଳର ହୀନ ପ୍ରୟାସ । ହାରିବା ଭୟରେ ବିଜେଡି ହିଂସାତ୍ମକ କାଣ୍ଡ ଭିଆଉଛି । ସେହିପରି ରାଜ୍ୟ ବିଜେପି ସଭାପତି ବି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଅପରପକ୍ଷେ ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

  • Reported by:
  • Partha Sarathi nayak , Silu Biswal , Jagannath Sahu

OTV is now on Whatsapp

Join and get latest news update delivered to you via whatsapp

Join Now