• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ । ସାଲେପୁରରେ ଜଣେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀ ପନିକିରେ ଆକ୍ରମଣ କରିଥିବା ବେଳେ କେନ୍ଦ୍ରାପଡ଼ାରେ ବିଜେପିର ବୁଥ୍ ସଭାପତିଙ୍କୁ ଛୁରାମାଡ଼ ହୋଇଛି ।

ବହୁ ସ୍ଥାନରେ ବୁଥ୍ ରିଗିଂ ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସିଇଓ କହିଛନ୍ତି- କିଛି ବୁଥ୍ ବାହାରେ ହିଂସାକାଣ୍ଡ ଖବର ଆସିଛି । ସେଠି ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ କୁହାଯାଇଥିଲା । ସାଲେପୁରରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ । କେନ୍ଦ୍ରାପଡ଼ାରେ ବିଜେପି ବୁଥ୍ ସଭାପତିଙ୍କୁ ଛୁରା ମାଡ଼ । ସେପଟେ କୋରେଇରେ ବିଜେପି ଏଜେଣ୍ଟ ଲହୁଲୁହାଣ ।

୨୪ ନିର୍ବାଚନର ଅନ୍ତିମ ଚରଣ ମତଦାନବେଳେ ଆଜି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଓ ଭଦ୍ରକ ଆଦି ସ୍ଥାନରୁ ଆସିଛି ମାଳ ମାଳ ହିଂସାର ଖବର । ସବୁକୁ ବଳି ଯାଇଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର । ସାଲେପୁର ମାଳଶାସନ ମତଦାନ କେନ୍ଦ୍ରର ୧୮୪ ଓ ୧୮୫ ନମ୍ବର ବୁଥ୍ ରେ ହିଂସାର ଚିତ୍ର ।

ଏଠିକାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ବିଜେପି ସମର୍ଥକଙ୍କୁ ବିଜେଡି ସମର୍ଥକ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । ଆହତମାନଙ୍କୁ ସାଲେପୁର ମେଡିକାଲରେ ଚିକିତ୍ସା କରାଯାଇଛି । ନିଜେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ, ଆହତମାନଙ୍କୁ ମେଡିକାଲ୍ ନେଇଥିଲେ ।

ପରେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାଲେପୁରରେ ପହଞ୍ଚି ଆହତ କର୍ମୀମାନଙ୍କୁ ଭେଟିଥିଲେ । ସେପଟେ ଏ ଘଟଣାରେ କଟକ ଜିଲ୍ଲାପାଳ ସୋସିଆଲ୍ ମିଡିଆ-Xରେ ପ୍ରତିକ୍ରିୟା ରଖି କହିଛନ୍ତି- ପନିକିରେ ଆକ୍ରମଣ ହୋଇନି । ବରଂ ବୁଥ୍ ଠାରୁ ଦେଢଶହ ମିଟର ଦୂରରେ ଦୁଇ ପାର୍ଟିର ଲୋକେ ମୁହାଁମୁହିଁ ହୋଇଥିଲେ ।

କେନ୍ଦ୍ରାପଡ଼ାର ୩୫ନଂ ବୁଥରେ ବିଜେପି ବୁଥ୍ ସଭାପତିଙ୍କୁ ଜଣେ ବିଜେଡି କର୍ମୀ ଛୁରାମାଡ଼ କରିଥିବା ନେଇ ଥାନାରେ ଏତଲା ହୋଇଛି । ସେମିତି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦିଆ ସ୍କୁଲରେ ବିଜେଡି କର୍ମୀଙ୍କୁ ଶହେ ମିଟର ଦୂରକୁ ତଡ଼ିଥିଲା ପୋଲିସ୍ ଫୋର୍ସ । ବେକରେ ଶଙ୍ଖ ଚିହ୍ନ ଥିବା ଗାମୁଛା ପକାଇ ବୁଥ୍ ନିକଟରେ ଭୋଟରଙ୍କୁ ବିଜେଡି କର୍ମୀ ଭୟଭୀତ କରୁଥିବାରୁ ଘଉଡ଼ାଇଥିଲା ପୋଲିସ୍ ।

ସେମିତି ସାଲେପୁର ଲୁଣାହାରରେ ବିଜେଡି କର୍ମୀ ବୁଥ୍ କ୍ୟାପଚରିଂ କରୁଥିବା ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପାଟକୁରାର ୧୬୧ନଂ ବୁଥ ଗୌଡଗାଁରେ ଜଣେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ସନ୍ତୋଷ ବିଶ୍ୱାଳଙ୍କ ଆକ୍ରମଣରେ ବିଜେପି ନେତା କୁଞ୍ଜବନ ସ୍ୱାଇଁଙ୍କ ଶରୀରରେ ଆଘାତ ଲାଗିଛି ।

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ସାହୁପଡ଼ାସ୍ଥିତ ୧୦୬ନଂ ବୁଥରେ ବିଜେଡି କର୍ମୀଙ୍କ ରିଗିଂକୁ ବିଜେପି କର୍ମୀ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏମିତିକି ଭୋଟ୍ ଦେବାକୁ ଆସିଥିବା କିଛି ଯୁବକଙ୍କୁ ବି ବିଜେଡି କର୍ମୀ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାମଚନ୍ଦ୍ରପୁର ଥାନାରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା ।

ସେଇ ଯାଜପୁରର କୋରେଇ ବଡ଼କଇଁଚି ୧୮୫ନଂ ବୁଥ୍ ରେ ମତଦାନ ବେଳେ ହିଂସାକାଣ୍ଡ ଘଟିଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି ଏଜେଣ୍ଟ ଗୁରୁତର ହୋଇ ମଧୁବନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ପଞ୍ଚାୟତ ୧୫୧ନଂ ବୁଥରେ ବି ଉତ୍ତେଜନା ଦେଖାଦେଇଥିଲା ।

ବିଜେଡି କର୍ମୀଙ୍କ ମାରପିଟରେ ଜଣେ ଆହତ ହୋଇଛନ୍ତି । ସେମିତି ପୁରୀ ଅସ୍ତରଙ୍ଗ ସ୍ଥିତ କୁହୁଡ଼ିଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି । ଜଗତସିଂହପୁର ଶାଳିଜଙ୍ଗାସ୍ଥିତ ୬୪ ନମ୍ବର ବୁଥରେ ବି ଶାସକ ଦଳର କର୍ମୀ ପଶି ବୁଥ୍ କ୍ୟାପଚରିଂ କରୁଥିବା ଅଭିଯୋଗକୁ ନେଇ ସେଠି ଉତ୍ତେଜନା ପ୍ରକାଶ ପାଇଥିଲା ।

ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଏହି ପର୍ଯ୍ୟାୟରେ କିଛି ବୁଥ୍ ବାହାରେ ହିଂସାକାଣ୍ଡର ଖବର ଆସିଛି । ସେଠି ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ କୁହାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now