• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ବୋଲି ଜଣାପଡ଼ିଛି । ଚଳିତ ଥର ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୂଆଁଧାର ପ୍ରଚାର ।

ଓଡ଼ିଶାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଚାରି ପର୍ଯ୍ୟାୟରେ ମୋଟ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ । ତେବେ ଏହାରି ମଧ୍ୟରେ ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍‌ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ଅନ୍ୟପଟେ ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କରଞ୍ଚିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ପ୍ରଚାର କରିବେ ।

ସେପଟେ ଆଜି ଓଡ଼ିଶାରେ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ସମ୍ବଲପୁର ଓ ତା’ପରେ କେନ୍ଦୁଝରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ପରଜଙ୍ଗ ଓ ଶେଷରେ ନୟାଗଡ଼ରେ ନିର୍ବାଚନୀ ସଭା ଯୋଗଦେବେ । ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ । ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି । ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଶାହ । ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି । ପାଞ୍ଚ ପର୍ଯ୍ୟାୟ ପରେ ମୋଦି ୩ ଶହ ପାର୍‌ କରିଗଲେଣି ।

ସାତ ପର୍ଯ୍ୟାୟ ନିର୍ବାଚନ ପରେ ୪ ଶହ ପାର୍‌ ହୋଇଯାଇଥିବ । ତେବେ ଓଡ଼ିଶାକୁ କେବଳ ୪ ଶହ ପାର୍‌ ନୁହେଁ, ଏଠାରେ ବି ପଦ୍ମ ଫୁଟିବା ଦରକାର । ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ବୋଲି କହିଛନ୍ତି ଅମିତ ଶାହ । ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ, ୨ଟି ସ୍ଥାନରେ କରିବେ ସଭା

ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି । ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି । ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ ବୋଲି ସମ୍ବଲପୁର ସଭାରେ ଦୃଢ଼ୋକ୍ତିର ସହ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ସେହିପରି ସେ ଆହୁରି କହିଛନ୍ତି ଯେ, ‘ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ ।

ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ । ତାହା ହେଉଛି ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି । କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି ଶାହ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now