୨୪ ମହାସଂଗ୍ରାମରେ ଯୋଗୀଙ୍କ ହୁଙ୍କାର; କହିଲେ, ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲବାବୁ

ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଶାସନକୁ କବ୍ଜା କରି ରାଜ୍ୟ ବିକାଶକୁ ୫୦ ବର୍ଷ ପଛକୁ ନେଇ ଯାଇଛି ଏଠିକାର ବାବୁରାଜ୍। ଆଜି ଏମିତି ପ୍ରଚଣ୍ଡ ହମଲା କରିଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ।

Yogi Adityanath

୨୪ ମହାସଂଗ୍ରାମରେ ଯୋଗୀ ହୁଙ୍କାର । ମାହାଙ୍ଗାର କୁଳିଆ, ଚିଲିକାର ବାଣପୁର । ସବୁଠି- ସଭାମଞ୍ଚ ଭିତରେ, ବାହାରେ ଲୋକଙ୍କ ଭିଡ଼ ଯେମିତି ଉତ୍ସାହ ସେମିତି । ବୁଲଡୋଜର ବାବାଙ୍କ ସ୍ୱାଗତ ପାଇଁ ବୁଲଡୋଜର ଠିଆ ହୋଇଥିଲା । ରାମନଗରୀରୁ ଆସିଥିବା ନେତାଙ୍କ ପାଇଁ ଜୟ ଶ୍ରୀରାମ ଧ୍ୱନିରେ ସଭାସ୍ଥଳ କମ୍ପୁଥିଲା । ଆଉ ତାରି ଭିତରେ ବିଜେପି ପାଇଁ ଭୋଟ୍ ମାଗି ରାଜ୍ୟ ସରକାର ବିରୋଧରେ ଏକୁ ଆରେକ ବଳି ହମଲା କରି ଚାଲିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧିନସ୍ଥ କୁଳିଆ ସଭାମଞ୍ଚରୁ ସିଧା ନବୀନଙ୍କ ଉପରେ ପ୍ରହାର କରି ଯୋଗୀ କହିଥିଲେ, ନବୀନ ବାବୁରାଜ୍ ଚକ୍କରରେ ପଡ଼ିଯାଇଛନ୍ତି । ୨୫ ବର୍ଷ ହେଲାଣି ଓଡ଼ିଶା ଶାସନକୁ ବାବୁରାଜ୍ କବଜା କରି ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି । ନବୀନବାବୁ ଏ ବୟସରେ କ’ଣ କରୁଛନ୍ତି କିଛି ବୁଝାପଡୁନି । ପାଣ୍ଡିଆନଙ୍କୁ ପରୋକ୍ଷ ହମଲା କରି କହିଛନ୍ତି, ତାମିଲ ବାବୁ ଓଡ଼ିଆ ଅସ୍ମିତା ସହ ଖେଳୁଛନ୍ତି।

ଅଧିକ ପଢ଼ନ୍ତୁ: ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

ବାବୁରାଜ୍ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଏବଂ ଗୋ ମାଫିଆଙ୍କୁ ପ୍ରଶ୍ରୟ ଦେଉଛି । କେବଳ ସେତିକି ନୁହେଁ ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ନ ହେବାର ଗୁମର ବି ଖୋଲିଛନ୍ତି ଯୋଗୀ । କହିଛନ୍ତି, ଆୟୁଷ୍ମାନ ଭାରତ ଲାଗୁ କଲେ ତାମିଲ ବାବୁଙ୍କ କମିଶନବାଜି ବନ୍ଦ ହୋଇଯିବା ଡରରେ ଏଠି ତାକୁ ସେ ଲାଗୁ କରାଉ ନାହାନ୍ତି । ଏଥିସହ ତାମିଲବାବୁଙ୍କ ଉଦ୍ଦେଶ୍ୟ ଓଡ଼ିଶାକୁ ପଛକୁ ନେବା, ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ବଢ଼ାଇବା ବୋଲି ବି କହିଛନ୍ତି ଯୋଗୀ ।

କୁଳିଆ ସଭାରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଶଂସାରେ ସତମୁଖ ହୋଇପଡ଼ିଥିଲେ ଯୋଗୀ । କହିଥିଲେ, ବୈଜୟନ୍ତ ଉତ୍ତରପ୍ରଦେଶରେ ବଡ଼ ଦାୟିତ୍ୱ ନେଇଥିଲେ । କିନ୍ତୁ ଓଡ଼ିଶାରେ ତାଙ୍କ ଆବଶ୍ୟକତା ଥିବା କହି ପ୍ରଧାନମନ୍ତ୍ରୀ ପଠାଇବାରୁ ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ଅଛନ୍ତି । ତାଙ୍କୁ ବିଜୟୀ କରି ମୋଦିଙ୍କ ଚାର୍ ଶୋ ପାର୍ ଲକ୍ଷ୍ୟକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ଯୋଗୀ । ବୈଜୟନ୍ତ ବି ତାଙ୍କ ଭାଷଣରେ ରାଜ୍ୟ ସରକାରକୁ ଧୁମ୍ ଧୁଲେଇ କରି ଏଠି ଗୁଣ୍ଡାରାଜ ଓ ଅଣଓଡ଼ିଆ ଗୋଷ୍ଠୀର କବଜାର ଏକ୍ସପାଏରି ତାରିଖ ପାଖେଇ ଆସିଲାଣି ବୋଲି କହିଥିଲେ।।

ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି ହଜିବା ଘଟଣା, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଭଳି ପ୍ରସଙ୍ଗ ବି ଉଠାଇଥିଲେ ଯୋଗୀ । ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ଜରୁରୀ ବୋଲି କହି ଚାର୍ ଶୋ ପାର୍ ଶୁଣି ବିଜୁ ଜନତା ଦଳର ମୁଣ୍ଡ ବୁଲାଇଲାଣି ବୋଲି କହି ତାଛଲ୍ୟ ବି କରିଥିଲେ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ସେ ଶବ୍ଦ ବ୍ୟବହାର କରନ୍ତିନି, ପୁଣି ଭିଡିଓରେ କେମିତି କହିଲେ: ସମୀର ମହାନ୍ତି