/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710641590.jpg)
Odisha Election
ଭୋଟ ବିଗୁଲ ବାଜୁ ବାଜୁ ବିଜେପିର ନିର୍ବାଚନ କସରତ । ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ଯୋଜନା ।
ଗତକାଲି ଭୁବନେଶ୍ୱର ଅଫିସରେ ସବୁ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ସକାଳେ ପ୍ରଥମେ ରାଜ୍ୟ କୋର୍ କମିଟି ଓ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ହୋଇଥିଲା । ଏକମାତ୍ର ଫୋକସ୍ ହେଲା ୨୦୨୪ ନିର୍ବାଚନ । ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।
ସବୁ ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ । ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇ ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଏପ୍ରିଲ୍ ୧୯ରୁ ଜୁନ୍ ୧ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଜୁନ୍ ୪ ତାରିଖରେ ହେବ ଭୋଟ୍ ଗଣତି । ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧୯ ତାରିଖରେ ୧୦୨ଟି ଆସନ, ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୬ ରେ ୮୯, ତୃତୀୟ ପର୍ଯ୍ୟାୟ ମେ ୭ରେ ୯୪, ଚତୁର୍ଥ ପର୍ଯ୍ୟାୟ ମେ ୧୩ରେ ୯୬, ପଞ୍ଚମ ପର୍ଯ୍ୟାୟ ମେ ୨୦ରେ ୪୯, ଷଷ୍ଠ ପର୍ଯ୍ୟାୟ ମେ ୨୫ରେ ୫୭ ଓ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ଜୁନ୍ ୧ ତାରିଖରେ ୫୭ଟି ଆସନରେ ଭୋଟ୍ ନିଆଯିବ ।
୨୨ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଟିଏ ଫେଜରେ ନିର୍ବାଚନ ହେବାକୁ ଥିବା ବେଳେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ସମସ୍ତ ୭ଟି ଯାକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ସେହିପରି ମହାରାଷ୍ଟ୍ର ଓ ଜାମ୍ମୁକାଶ୍ମୀରରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।
ଲୋକସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ଏକା ସାଙ୍ଗରେ ବିଧାନସଭା ନିର୍ବାଚନ ହେଉଛି । ଏଥର ପ୍ରାୟ ୯୭ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସେ ଭିତରୁ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ହେଉଛନ୍ତି ମହିଳା ଭୋଟର । ଏମାନଙ୍କ ମଧ୍ୟରେ ପ୍ରାୟ ୧ କୋଟି ୮୨ ଲକ୍ଷ ପ୍ରଥମଥର ପାଇଁ ଭୋଟ୍ ଦେବେ ।
୮୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଘରେ ରହି ଭୋଟ୍ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ସାରା ଦେଶରେ ୧୦ ଲକ୍ଷ ୫୦ ହଜାର ପୋଲିଂ ବୁଥ୍ କରାଯାଇଥିଲା ବେଳେ ଏଥିପାଇଁ ୫୫ ଲକ୍ଷ ଇଭିଏମ୍ ଓ ଦେଢ଼ କୋଟି ପୋଲିଂ ଅଫିସର କାମ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)