• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ୪୮ ଘଣ୍ଟା ପୁରିଲା । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ । ଏସବୁ ଭିତରେ SIT ଖଲ୍ଲିକୋଟରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି ।

ତେବେ ଶାସକ ଦଳର ଛତ୍ରଛାୟାରେ ସଂଘଟିତ ଅପରାଧ ପଛର ଅଭିଯୁକ୍ତ ମାନଙ୍କୁ ବାନ୍ଧିପାରିବ ତ ପୋଲିସ ? ସେନେଇ ନାନା ପ୍ରଶ୍ନ ଉଠିବା ସହ ତେଜିଛି ରାଜନୈତିକ ବୟାନବାଜି । ରାଜନୀତିର ରକ୍ତପାତ ଭିତରେ ଉଜୁଡ଼ିଗଲା ସୁଖର ସଂସାରଟିଏ । ଆଖି ବୁଜିଲା ପରିବାରର ଭେଣ୍ଡିଆ ପୁଅ...ଏବେ କିଏ ଫେରାଇ ଆଣିବ ବିଧବା ପତ୍ନୀ ମଥାର ସିନ୍ଦୁର ।

ବୁଢ଼ୀ ମା’ଙ୍କୁ ଏବେ କିଏ ଦେବ ନ୍ୟାୟ...ଭଉଣୀଟି ଏବେ କ’ଣ ଆଉ ସେହି ଭାଇ ହାତରେ ବାନ୍ଧିପାରିବେ ରାକ୍ଷୀ, ଯେଉଁ ଭାଇ ଭୀଷ୍ମଙ୍କ ଶରଶଯ୍ୟା ଭଳି ଟଳିପଡ଼ିଲେ ରାଜନୈତିକ ଯୁଦ୍ଧର ଘନଘଟା ଭିତରେ । ଆଜି ଲୁହ ଆଉ ଶୋକରେ ବୁଡ଼ି ରହିଛି ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁର ନିହତ ବିଜେପି କର୍ମୀ ଦିଲୀପ ପାହାନଙ୍କ ପରିବାର ।

ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଆମକୁ ନ୍ୟାୟ ଦରକାର । ହତ୍ୟା ପଛରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୋଧରେ ଚରମ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦିଲୀପଙ୍କ ପତ୍ନୀ । ବୁଧବାର ଗଲା, ଗୁରୁବାର ଗଲା, ଆଉ ଆଜି ଶୁକ୍ରବାର ।

ଶ୍ରୀକୃଷ୍ଣଶରଣପୁର ଗାଁରେ ରାତି ପ୍ରାୟ ୮ଟାରେ ବିଜେପି କର୍ମୀ ଦିଲୀପ ହତ୍ୟାକାଣ୍ଡକୁ ପୁରିଲା ୪୮ ଘଣ୍ଟା । କେବଳ ୯ ଜଣଙ୍କୁ ଗିରଫ କରିଥିବା କହିଛି ଖଲ୍ଲିକୋଟ ପୋଲିସ । ଇତି ମଧ୍ୟରେ ଖଲ୍ଲିକୋଟ ଶାନ୍ତ ପଡ଼ିଥିବାବେଳେ ଶ୍ରୀକୃଷ୍ଣଶରଣପୁର ଗାଁରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ । ତେଣେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠନ ହୋଇଛି SIT ।

ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବା ସହ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ SIT ଗିରଫ କରିବ । ସେହିପରି ୩୦ ଦିନ ମଧ୍ୟରେ ଦାଖଲ କରିବ ଚାର୍ଜସିଟ୍। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରରେ ରହି ଏହାର ତଦାରଖ କରିବେ ବୋଲି ସୂଚନା ମିଳିଛି ।

ଅପରପକ୍ଷେ ଘଟଣାର ତଦନ୍ତଭାର CBIକୁ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି ଦିଲୀପଙ୍କ ବାପା । ହତ୍ୟାର ଷଡ଼ଯନ୍ତ୍ର ପଛରେ ଖଲ୍ଲିକୋଟ ବିଜେଡି ବିଧାୟିକାଙ୍କ ସ୍ୱାମୀ ଦୈତାରୀ ବେହେରା ଏବଂ ଦିବଙ୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରା ସାକେତ ରାମାରାଓଙ୍କ ହାତ ଥିବା ପରିବାର ଓ ବିଜେପି ପକ୍ଷରୁ ଅଭିଯୋଗ ହୋଇଆସିଛି ।

କାରଣ ବିଜେଡିରେ ଥିବାବେଳେ ଦିଲୀପ, ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ବିରୋଧ କରିଆସୁଥିଲେ । ଏପରିକି ନବୀନ ନିବାସ ଆସି ଏଥର ଟିକଟ ନଦେବାକୁ କହିଥିଲେ । ଏହି ବିଦ୍ରୋହ ଭିତରେ ହତ୍ୟା ପୂର୍ବରୁ ନିର୍ମଳଝର ସ୍ଥିତ ଫାର୍ମହାଉସରେ ଦିବଙ୍ଗତ ରାଣୀଙ୍କ ପୁତୁରା ସାକେତ ରାମାରାଓଙ୍କ ଉପସ୍ଥିତିରେ ଭୋଜିଭାତ କରାଯାଇଥିଲା ।

ଯେଉଁଠି ଦିଲୀପଙ୍କ ସମେତ ଅନ୍ୟ ବିଜେପି କର୍ମୀଙ୍କୁ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଅଭିଯୋଗ ଉଠିଛି । ତେବେ ଏସବୁ ଦିଗକୁ ତଦନ୍ତ କରିବ ତ SIT ? ଶାସକ ଦଳର ଛତ୍ରଛାୟାରେ ସଂଘଟିତ ଏହି ଅପରାଧ ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ SIT ବାନ୍ଧିପାରିବ ତ ?

ତେବେ ବିଧାୟିକାଙ୍କ ସ୍ୱାମୀ ଏବଂ ସାକେତ ରାମାରାଓଙ୍କ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । ଗତ ୨ ବର୍ଷରେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସାରେ ଗଡ଼ିଲାଣି ୯ ଜଣଙ୍କ ମୁଣ୍ଡ । ଗତ ପଞ୍ଚାୟତ ନିର୍ବାଚନ ପରେ ଦିଗପହଣ୍ଡିରେ ସୁଦର୍ଶନ ସୁଆର, ସୁଧିର ପାତ୍ର, ନବରଙ୍ଗପୁର ଗାଁରେ ବାବୁ ଗୌଡ଼ ଓ ପ୍ରଦୀପ ସାହୁ, ପୋଲସରାରେ ଅମିତ ଆଚାର୍ଯ୍ୟ. ଆସିକା କେନ୍ଦୁପଦରରେ ବୁଲୁ ସ୍ୱାଇଁ, ଆସିକାରେ ସୁନୀଲ ନାହାକ, ପୁରୁଷୋତ୍ତମପୁରରେ ସୁଦର୍ଶନ ବେହେରା, ଧରାକୋଟରେ ଅନୀଲ ମହାନ୍ତିଙ୍କୁ ହତ୍ୟା କରାଯାଇଛି । ଆଉ ଏବେ ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁରରେ ଦିଲୀପ ପାହାନଙ୍କୁ ହତ୍ୟା ପରେ ଉଦବେଗ ପ୍ରକାଶ ପାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now