Advertisment

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ ଆପଣ କେଉଁ ଦିନ ଦେବେ ଭୋଟ୍‌

ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ।

author-image
Santosh Kumar Sahoo
undefined

Election Date

୨୦୧୯ ନିର୍ବାଚନ ଭଳି ଓଡ଼ିଶାରେ ଏଥର ବି ମୋଟ୍ ୪ଟି ପର୍ଯ୍ୟାୟରେ ହେବ ମତଦାନ। କେବଳ ଯାହା ତାରିଖରେ ପରିବର୍ତ୍ତନ। ଚଳିତ ଥର ମେ’ ୧୩, ୨୦ ଓ ୨୫ ଏବଂ ଜୁନ ୧ରେ ହେବ ଭୋଟ୍ ଗ୍ରହଣ। ଜୁନ୍ ୪ରେ ଭୋଟ୍ ଗଣତି। ରାଜ୍ୟରେ ଏଥର ୩ କୋଟି ୩୨ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Advertisment

ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ। ମେ ୧୩ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ସହ ଏହା ଅର୍ନ୍ତଗତ ୨୮ଟି ବିଧାନସଭା ଆସନରେ ହେବ ମତଦାନ। ଏଥିପାଇଁ ଆସନ୍ତା ଏପ୍ରିଲ୍ ୧୮ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ସେହିପରି ମେ’ ୨୦ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ସିଟ୍ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କାରେ ଭୋଟ୍ ହେବ। ତା ସହିତ ଏହି ୫ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ବି ସେହିଦିନ ହେବ ଭୋଟିଂ। ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏପ୍ରିଲ୍ ୨୬ରେ ଜାରି ହେବ ବିଜ୍ଞପ୍ତି।

ମେ’ ୨୫ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୬ ଲୋକସଭା ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ପାଇଁ ହେବ ଭୋଟଗ୍ରହଣ। ତୃତୀୟ ପର୍ଯ୍ୟାୟ ଲାଗି ଏପ୍ରିଲ ୨୯ରେ ଜାରି ହେବ ବିଜ୍ଞପ୍ତି। ଜୁନ ୧ରେ ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ଭୋଟିଂ। ଏହି ପର୍ଯ୍ୟାୟରେ ବି ୬ ଲୋକସଭା କ୍ଷେତ୍ର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୪୨ଟି ବିଧାନସଭା ସିଟ୍ ପାଇଁ ହେବ ମତଦାନ। ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମେ’ ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି। ସମସ୍ତ ଆସନରେ ଜୁନ୍ ୪ରେ ହେବ ଭୋଟ୍ ଗଣତି।

Advertisment

ଏଥର ନିର୍ବାଚନରେ ଓଡ଼ିଶାରେ ଭୋଟ ଦେବେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର। ସେମାନଙ୍କ ମଧ୍ୟରେ ୧ କୋଟି ୬୮ ଲକ୍ଷ ପୁରୁଷ, ୧ କୋଟି ୬୪ ଲକ୍ଷ ମହିଳା ଏବଂ ୩୩୮ ଜଣ ତୃତୀୟ ଲିଙ୍ଗୀ। ଅର୍ଥାତ୍ ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ଭୋଟର ଅଛନ୍ତି। ପ୍ରାୟ ସାଢ଼େ ୭ ଲକ୍ଷ ୧୮ରୁ ୧୯ ବର୍ଷୀୟ ଅର୍ଥାତ ନୂଆ ଭୋଟର୍ ଏବଂ ୯ ହଜାର ୬୦ ଜଣ ଶତାୟୁ ଭୋଟର୍ ଅଛନ୍ତି। ଭୋଟ ଗ୍ରହଣ ପାଇଁ ମୋଟ ୩୭ ହଜାର ୮୦୯ଟି ବୁଥ୍ ହେବ ଏବଂ ସେଥିରୁ ୨୨ ହଜାର ୬୮୫ରେ ୱେବକାଷ୍ଟିଂ ହେବ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟକୁ ପାଖାପାଖି ୨ ମାସ ସମୟ ଥିବା ବେଳେ ଭୋଟ୍ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ଥିବା କହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମୋଟ୍ ମତଦାନ ହାର ଥିଲା ୭୩.୨୯ ପ୍ରତିଶତ।

Election Commission Of India General Elections 2024 Lok Sabha Elections
Advertisment
Advertisment