Advertisment

ମନପସନ୍ଦର ପ୍ରତିନିଧି ବାଛିଲେ ମତଦାତା, EVMରେ ସିଲ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Election 2nd phase voting ends

Odisha Politics

ଭୋଟ୍ ପାଇଁ ଜୋଶ୍...ବୟସ ଯାହା ବି ହେଉ...ଶରୀର ସାଥ୍ ଦେଉ କି ନଦେଉ...ନେତା ହୁଅନ୍ତୁ କି ଜନତା...ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଥିଲେ... ଆଙ୍ଗୁଳିରେ କାଳି ବୋଳି ଭୋଟ୍ ଦେଉଥିଲେ...କେହି କେହି ବୁଥ ବାହାରେ ଥିବା ସେଲ୍ଫି ପଏଣ୍ଟରେ ସେଲ୍ଫି ନେଇ ଗର୍ବରେ ଫାଟି ପଡୁଥିଲେ।

Advertisment

ପ୍ରଥମ ପର୍ଯ୍ୟାୟ ଭଳି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଆଜି ଦେଖିବାକୁ ମିଳିଥିଲା ଏମିତି ଉତ୍ସାହପ୍ରଦ ଦୃଶ୍ୟ। ଆସ୍କାଠୁ ନେଇ ବରଗଡ଼, ସୁନ୍ଦରଗଡ଼ଠୁ ନେଇ ବଲାଙ୍ଗିର, କନ୍ଧମାଳ ପରି 5 ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ 35 ବିଧାନସଭା କ୍ଷେତ୍ରରେ ଥିବା ବୁଥ୍ ଗୁଡ଼ିକରେ ଲମ୍ବା ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ନିଜ ମନପସନ୍ଦର ପ୍ରତନିଧି ବାଛୁଥିଲେ ଜନତା। ବିଶେଷ କରି ମାଓ ଅଧ୍ୟୁଷିତ ଅଞ୍ଚଳ ଓ 18 ଛୁଇଁବା ପରେ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କ ଭିତରେ ତ ଦେଖିବା ଭଳି ଥିଲା ଉତ୍ସାହ।

ଅଧିକ ପଢ଼ନ୍ତୁ: ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ବଲାଙ୍ଗିର ପାଟଣାଗଡ଼ ରମାଇ ହାଇସ୍କୁଲରରେ ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ରାଜ୍ୟର ସବୁଠୁ କମ୍ ଉଚ୍ଚତାର ଭୋଟର ବିନିତା ସେଠ୍। ଭୋଟ ଦେବା ପରେ 1.5 ଫୁଟ ଉଚ୍ଚତା ବିଶିଷ୍ଟ ବିନିତାଙ୍କ ଖୁସି ତ କହିଲେ ନସରେ।

Advertisment

ଭୋଟକୁ ନେଇ ମତଦାତାଙ୍କ ଏଭଳି ଉତ୍ସାହ ଭିତରେ କିଛି କିଛି ବୁଥରେ ଗଣ୍ଡଗୋଳ ଓ ହିଂସାର ଚିତ୍ର ବି ସାମନାକୁ ଆସିଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମ ପଞ୍ଚାୟତଅନ୍ତର୍ଗତ ବେରିଆଁବାଡ଼ି ଗାଁର 47 ନମ୍ବର ବୁଥରେ ବିଜେଡିଙ୍କ କର୍ମୀ ଗୁଣ୍ଡାଗର୍ଦ୍ଦି ଓ ରିଗିଂ ଉଦ୍ୟମ ଦେଖିବାକୁ ମିଳିଥିଲା । ବୁଥ୍ ଭିତରେ ହାତାହାତି, ପିଟାମରା ସ୍ଥିତିକୁ ଆସିଯାଇଥିଲେ ବିଜେଡି- ବିଜେପି ସମର୍ଥକ। ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ବି ଏହି ଗଣ୍ଡଗୋଳରେ 4 ଜଣ ଆହତ ହୋଇଥିବା କୁହାଯାଉଛି।

ସେହିପରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗଣ୍ଡଳା ପଞ୍ଚାୟତର 190 ନମ୍ବର ବୁଥ୍ ସମ୍ମଖରେ ବିଜେଡିର ଦୁଇ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲା ବେଳେ ସାନଖେମୁଣ୍ଡି ଧରାକୋଟ କୁସଗୁମ୍ମା ୨୧ନଂ ବୁଥରେ ଏଜେଣ୍ଟଙ୍କ ପ୍ରବେଶକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥିଲେ ବିଜେଡି ଓ କଂଗ୍ରେସ କର୍ମୀ । ପୋଲିସର ହସ୍ତକ୍ଷେପ ପରେ ଉଭୟ ସ୍ଥାନରେ ସ୍ଥିତି ଶାନ୍ତ ପଡ଼ିଥିଲା।

ରାଉରକେଲା ଗୋପବନ୍ଧୁ ହାଇସ୍କୁଲରେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ଦଳୀୟ କର୍ମୀଙ୍କ ସହ ବୁଥ ଭିତରେ ପଶିବାକୁ ଉଦ୍ୟମ କରିବାରୁ ଏହାର ପ୍ରବଳ ବିରୋଧ କରିଥିଲେ ସାଧାରଣ ଲୋକେ । ଯାହାକୁ କେନ୍ଦ୍ର କରି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ସୁରକ୍ଷା ବଳୟରେ ସାରଦାଙ୍କୁ ବୁଥ୍ ବାହାରକୁ ନେଇଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏସବୁ ବାଦ୍ ଇଭିଏମରେ ତ୍ରୁଟି ପାଇଁ କିଛି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହେବାର ଖବର ଆସିଥିଲା ।

ଏପରି କାଁଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଆଜିର ମତଦାନରେ ଜନତାଙ୍କ ପରି ନେତା ଓ ପ୍ରାର୍ଥୀଙ୍କ ଭିତରେ ବି ଭୋଟ୍ ଦେବା ପାଇଁ ଥିଲା ପ୍ରବଳ ଉତ୍ସାହ। ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ, ସୁନ୍ଦରଗଡ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ୍ ଓ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ସୁନ୍ଦରଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ ନିଜ ନିଜ ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଥିଲେ।

ଅଧିକ ପଢ଼ନ୍ତୁ: ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

ସେହିପରି ବଲାଙ୍ଗିର ଜିଲ୍ଲାର ହେଭିୱେଟ୍ ନେତା ଓ ପ୍ରାର୍ଥୀ କେ.ବି. ସିଂଦେଓ, ଅନଙ୍ଗ ଉଦୟ ସିଂଦେଓ, ସଂଗୀତା ସିଂଦେଓ, ଟୁକୁନି ସାହୁ, ନରସିଂହ ମିଶ୍ର, ସମରେନ୍ଦ୍ର ମିଶ୍ର, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ନିଜ ନିଜ ମତଦାନ କେନ୍ଦ୍ରରେ ଧାଡ଼ି ବାନ୍ଧି ଭୋଟ୍ ଦେଇଥିଲେ । ସେହିପରି ବରଗଡ଼ରେ ପ୍ରସନ୍ନ ଆଚାର୍ଯ୍ୟ, ବିନିକାରେ ନିରଞ୍ଜନ ପୂଜାରୀ, ଝାରସୁଗୁଡ଼ାରେ ଟଙ୍କଧର ତ୍ରିପାଠୀ, ପଦ୍ମପୁରରେ ପ୍ରଦୀପ ପୁରୋହିତ ଓ ସୋନପୁରରେ ପଦ୍ମନାଭ ବେହେରା ମଧ୍ୟ ଭୋଟ୍ ଦେଇଥିଲେ। ଅପରପକ୍ଷେ ଆସ୍କା ସଂସଦୀୟ କ୍ଷେତ୍ରରେ ସାଂସଦ ପ୍ରମିଳା ବିଷୋୟୀ ଓ ସାଂସଦ ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଇଭିଏମରେ ସିଲ୍ ହୋଇଛି 305 ପ୍ରାର୍ଥୀଙ୍କ ଭାଗ୍ୟ।...ଏବେ ଅପେକ୍ଷା ରେଜଲ୍ଟର ଦିନ ଜୁନ୍ 4 ତାରିଖକୁ।

BJD BJP Congress Odisha Politics General Election 2024
Advertisment
Advertisment