• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାଜପୁର ଧର୍ମଶାଳା ବିଜେଡିରେ ଗୋଷ୍ଠୀ କନ୍ଦଳ । ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ । ସେ ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକଟ ଆଶାୟୀ ଥିଲେ । ଧର୍ମଶାଳାରୁ ପୁଣି ଥରେ ପ୍ରଣବ ବଳବନ୍ତରାୟଙ୍କ ନାଁ ଘୋଷଣା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି ।

ଦୀର୍ଘ ବର୍ଷ ଧରି ସେ ବିଜୁ ପରିବାରରେ ରହିଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି । ବିଧାୟକ ପ୍ରଣବଙ୍କ ଉପରେ ପ୍ରବଳ ବର୍ଷିବା ସହ ଦୁର୍ନୀତିରେ ସେ ଲିପ୍ତ ଥାଇ ବି ଦଳ ତାଙ୍କୁ ଟିକେଟ୍ କେମିତି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ।

ସେପଟେ ଏନେଇ ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି କହିଛନ୍ତି ସତୀଶ କେବେ ବି ବିଜେଡିରେ ନଥିଲେ । ତାଙ୍କ କଥାରେ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି । ଅପରପକ୍ଷେ କିନ୍ତୁ ସତୀଶଙ୍କ ଅଭିଯୋଗ ନେଇ ପ୍ରଣବ ବଳବନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ମାଲକାନଗିରି ଚିତ୍ରକୋଣ୍ଡାରୁ ମଧ୍ୟ ଗୋଷ୍ଠୀ କନ୍ଦଳ ଘଟଣା ସାମ୍ନାକୁ ଆସିଛି ।

ଚିତ୍ରକୋଣ୍ଡା ବିଧାନସଭା ଆସନ ଲାଗି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ଟିକେଟ୍ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ବିଜେଡିର ଏକ ଗୋଷ୍ଠୀ । କିଛି ବ୍ଲକ ଚେୟାରମ୍ୟାନ, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସଭାପତି ଏକତ୍ରିତ ହୋଇ ଲକ୍ଷ୍ମୀପ୍ରିୟାଙ୍କୁ ବିରୋଧ କରିବା ସହ ମେଳି କରିଛନ୍ତି ।

ଦଳ ଯଦି ଲକ୍ଷ୍ମୀପ୍ରିୟାଙ୍କୁ ଟିକେଟ ଦିଏ ତେବେ ଜୋରଦାର ବିରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଜେଡି କି ଲକ୍ଷ୍ମୀପ୍ରିୟାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।