• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ସମ୍ବଲପୁର ରେଢ଼ାଖୋଲ ସଭାରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତା’ର ତଦନ୍ତ ହେବ ।

ସେହିପରି ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି ବୋଲି ରେଢ଼ାଖୋଲ ସଭାରେ କହିଛନ୍ତି ରାଜନାଥ ସିଂ ।

ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ନାକଟିଦେଉଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜନାଥ। ଏହାପରେ କେନ୍ଦୁଝରର ପାଟଣା ଏବଂ ଶେଷରେ ଖୋର୍ଦ୍ଧାରେ ସାଧାରଣ ସଭାରେ ରାଜନାଥ ସମ୍ବୋଧନ କରିବେ ।

ସେପଟେ ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ୍ ସୋ’। ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳେ ପୁରୀ ଯିବେ। ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ। ମୋଦିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ନେଇ ପୁରୀରେ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ମୋଦିଙ୍କ ପୁରୀ ଗସ୍ତ ସମୟରେ ସେ ସମସ୍ତଙ୍କୁ ଆଚମ୍ବିତ କରିବା ଭଳି କିଛି କାର୍ଯ୍ୟ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ସମ୍ବିତ ପାତ୍ର ।

ସେପଟେ କାଲି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସହ ରୋଡ୍ ସୋ’ ପାଇଁ କଟକଣା ଲଗାଯାଇଛି । ତାଳବଣିଆରେ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ପୁରୀରେ କଟକଣା ଲାଗୁ ହେବ । ମୋଦିଙ୍କ ଗସ୍ତ ପାଇଁ କଟକଣା କରାଯାଇଥିବା ପୁରୀ ଏସ୍‌ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ସାଢ଼େ ୭ଟାରେ ପହଞ୍ଚିବେ ମୋଦି । ତେବେ ପ୍ରଧାନମନ୍ତ୍ରୀ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା ଲାଗୁ ହେବ । ସେହିପରି ରୋଡ୍‌ ସୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ କଟକଣା। ତାଳବଣିଆ ଛକରୁ ଶ୍ରୀମନ୍ଦିର, ମରିଚିକୋଟରୁ ମେଡିକାଲ ଛକ ଯାଏଁ କଟକଣା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ।

OTV is now on Whatsapp

Join and get latest news update delivered to you via whatsapp

Join Now