• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ । ୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ ।

ଗତଥର ତାଙ୍କୁ ଟିକଟ ମିଳିନଥିଲା । ଏଥର ମଧ୍ୟ ସେ ସାଂସଦ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକଟ ନ ଦେଇ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଛାଡ଼ିଥିବା କହିଛନ୍ତି ପ୍ରଭାସ ସିଂ । ରାଜ୍ୟବ୍ୟାପି ଲାଗି ରହିଛି ଅସନ୍ତୋଷ, ବିଦ୍ରୋହ ଓ ଇସ୍ତଫା । ଟିକେଟ ବଣ୍ଟନ ପ୍ରସଙ୍ଗରେ ଖପ୍ପା ହେଉଛନ୍ତି ନେତା ଓ କର୍ମୀ । ସେପଟେ ବିଜେଡି କହିଛି ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ନିଜ ସ୍ୱାର୍ଥ ପାଇଁ ଛାଡୁଛନ୍ତି ।

ତାର କିଛି ପ୍ରଭାବ ପଡିବନି । ବିଦ୍ରୋହ ଯେତେ କଲେ ବି ସଫଳ ହେବେନି । ଯେଉଁମାନେ କାମ କରନ୍ତିନି ସେମାନଙ୍କୁ ନବୀନ ପଟ୍ଟନାୟକ ଟିକେଟ ଦିଅନ୍ତନି ବୋଲି କଣ୍ଟାମାଳ ବିଧାୟକ ମହୀଧରଣ ରଣା କହିଛନ୍ତି । ଅନ୍ୟ ଦଳର ନେତାଙ୍କୁ ଆଣି ବିଜେଡିରୁ ଟିକଟ ଦେଲେ ବିଦ୍ରୋହ ହେବ ବୋଲି ଖୋଲାଖୋଲି ଚେତାବନୀ ଦେଉଛନ୍ତି ନେତା ଓ କର୍ମୀ । ବର୍ଷ ବର୍ଷ ଧରି ଯେଉଁମାନେ ଦଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ହିଁ ଦଳରୁ ପ୍ରାର୍ଥୀ କରାଯାଉ ବୋଲି କହି ଆସୁଛନ୍ତି ଟିକଟ ଆଶାୟୀ । ଅନ୍ୟପଟେ ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା ।

 

୪ ଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଗଣେଶ୍ୱର । ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ଜଣେ ବିଜ୍ଞ, ତୃଣମୂଳ ସ୍ତରର ଟାଣୁଆ ନେତା ଭାବେ ସେ ଜଣାଶୁଣା ଥିଲେ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାୟକ ହୋଇଥିଲେ । କିନ୍ତୁ ତା’ ପରଠୁ ସେ ବିଧାନସଭାକୁ ଆସିପାରି ନାହାନ୍ତି ।

ସେପଟେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ । ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ବଢ଼ି ଚାଲିଛି ଦଳଡିଆଁ ପ୍ରତିଯୋଗିତା ।