• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ତେଜୁଛି କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ଆଜି ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।

ହାତରେ ପୋଷ୍ଟର୍, ପ୍ଲାକାର୍ଡ ଧରି ‘ଗୋ ବ୍ୟାକ୍ ଗଣେଶ୍ୱର’ ନାରା ଦେଇଛନ୍ତି । ବାହାରୁ ଆସିଥିବା ନେତାଙ୍କୁ ନୁହେଁ ମୂଳ ବିଜେଡିରୁ ପ୍ରାର୍ଥୀ ଦେବାକୁ ଦାବି ହୋଇଛି । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ବି କେନ୍ଦ୍ରାପଡ଼ା ବିଧାନସଭାରେ ପ୍ରାର୍ଥୀ ଦେଇପାରିନି ବିଜେଡି । ଆଉ ଏହାରି ଭିତରେ ପ୍ରତିଦିନ ବିଜେଡିରେ ବଢ଼ୁଥିବା ଗୋଷ୍ଠୀ କନ୍ଦଳ ଏବେ ଦଳ ପାଇଁ ଅଧିକ ଟେନସନ୍ ବଢ଼ାଇଛି ।

ଏହାପୂର୍ବରୁ ବି କେନ୍ଦ୍ରାପଡ଼ା ଟିକେଟ୍ କୁ ନେଇ ହୁଲୁସ୍ତୁଲୁ ହୋଇଥିଲା ବିଜେଡି କ୍ୟାମ୍ପ । ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି କିମ୍ବା ଗଣେଶ୍ୱରଙ୍କ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଚିତ୍ରକୋଣ୍ଡା ବିଜେଡିରେ ମଧ୍ୟ ଖୋଲାଖୋଲି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଦଳ ଛାଡ଼ିଛନ୍ତି ଦୁଇ ବ୍ଲକ ଅଧ୍ୟକ୍ଷ, ସରପଞ୍ଚଙ୍କ ସମେତ ଏକାଧିକ ନେତା କର୍ମୀ ।

ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ପକ୍ଷରୁ ଟିକେଟ୍ ଦିଆଯାଉଥିବା ଚର୍ଚ୍ଚା ପରେ ଦଳରୁ ଇସ୍ତଫା ଦେଇଛନ୍ତି ଖଇରପୁଟ, ମାଥିଲି, ବ୍ଲକ ଅଧ୍ୟକ୍ଷ । ଲକ୍ଷ୍ମୀପ୍ରିୟାଙ୍କୁ ବିରୋଧ କରି ଏମାନେ ବିଜେଡି ଛାଡ଼ିଛନ୍ତି । ଏପରିକି ଲକ୍ଷ୍ମୀପ୍ରିୟାଙ୍କ ସମର୍ଥନରେ ଗୋଟିଏ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ପୃଥକ ପୃଥକ ବୈଠକ ବି ବସିଛି ।

ଟିକେଟ୍ ଘୋଷଣା ପୂର୍ବରୁ ବିଜେଡିର ଏଭଳି କନ୍ଦଳ ଏବେ ଦଳ ପାଇଁ ଚିନ୍ତା ବଢ଼ାଇଛି । ସେପଟେ ଅନୁଗୁଳ ବିଜେଡିରେ ମଧ୍ୟ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି । ତେଜିଛି ଅନୁଗୁଳ ଟିକେଟ୍ କଳି । ଅନୁଗୁଳ ଟିକେଟ୍ ଘୋଷଣାରେ ବିଳମ୍ବକୁ ନେଇ ତାତିଲେ ରଜନୀକାନ୍ତ ସିଂଙ୍କ ସମର୍ଥକ । ବିଧାୟକଙ୍କ ସରକାରୀ ବାସଭବନରେ ସମର୍ଥକଙ୍କ ମେଳି ବସିଛି ।

ତୁରନ୍ତ ଟିକେଟ୍ ଘୋଷଣା କରିବାକୁ ସମର୍ଥକ ଦାବି କରିଛନ୍ତି । ରଜନୀକାନ୍ତଙ୍କୁ ଟିକେଟ୍ ନମିଳିଲେ କାଉନସିଲର ମାନେ ସାମୂହିକ ଇସ୍ତଫା ଦେବେ ବୋଲି କହିଛନ୍ତି । ସେପଟେ ଅନୁଗୁଳ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ସମର୍ଥକଙ୍କ ମନରେ ଆଶଙ୍କା ଦେଖା ଦେଇଛି ।