୧୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୦ରେ ପୁରୀରେ କରିବେ ରୋଡ୍‌ ସୋ’

ଭୁବନେଶ୍ୱରରେ ପହଞ୍ଚିବା ପରେ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକରେ ସମୀକ୍ଷା କରିବେ ।

Narendra Modi

୧୯ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ୱରରେ ପହଞ୍ଚିବା ପରେ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକରେ ସମୀକ୍ଷା କରିବେ । ନିର୍ବାଚନକୁ ନେଇ ବିଜେପି କର୍ମକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

ତେବେ ୧୯ ତାରିଖରେ ରାତ୍ରୀଯାପନ କରି ୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀଜିଉଙ୍କ ଦର୍ଶନ ପରେ ପୁରୀରେ ରୋଡ ସୋ’ କରିବେ ମୋଦି। ଏହାପରେ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

ସୂଚନା ଅନୁସାରେ ଚଳିତ ମାସରେ ଦୁଇଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ ।

ଅଧିକ ପଢ଼ନ୍ତୁ: BJD ଉପରେ ବର୍ଷିଲେ ହେମାମାଳିନୀ

ତେବେ ଏହାର ଚାରି ଦିନ ପରେ ଅର୍ଥାତ ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି ।

୧୯ ନିର୍ବାଚନ ଅପେକ୍ଷା ୨୪ରେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଉ ସବୁଠୁ ବଡ଼ କଥା ହେଲା, ନବୀନ ସରକାର ବିରୋଧରେ କଡ଼ା ଆଭିମୁଖ୍ୟ, ସିଧା ନିଶାନା । ବ୍ରହ୍ମପୁରରେ ବିଜେଡିର ଏକ୍ସପାଏରି ଡେଟ୍ ଦେବା ସହ ବିଜେପି ସରକାରର ଶପଥ ଗ୍ରହଣ ତାରିଖ ଘୋଷଣା କରିଥିଲେ । ସେହିପରି ଫୁଲବାଣୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଟାର୍ଗେଟ । ବିନା କାଗଜରେ ଜିଲ୍ଲା ନାଁ କହିବାକୁ ନବୀନଙ୍କୁ ଚାଲେଞ୍ଜ । ଓଡ଼ିଆ ଅସ୍ମିତା, ସଂସ୍କୃତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ପୁରୀରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ ଏହାକୁ ଅଧିକ ବଳ ଦେଇପାରେ ।

ଚର୍ଚ୍ଚା ହେଉଛି, ରାଜ୍ୟରେ ଥିବା ନବୀନ ସରକାର ବିରୋଧୀ ହାୱା ଏବଂ ରାଜ୍ୟବାସୀଙ୍କ ପଲ୍ସ ମାପି ସାରିଛନ୍ତି ପିଏମ୍ ମୋଦି । ଯେଉଁଥିପାଇଁ ଓଡ଼ିଶାକୁ ଫୋକସ୍‌ କରି ବାରମ୍ବାର କେନ୍ଦ୍ର ନେତୃତ୍ୱ ଓଡ଼ିଶା ଗସ୍ତ କରିବା ସହ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ଓଡ଼ିଶାକୁ ।

ସେପଟେ ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ । ରାଉରକେଲାରେ ସାଧାରଣ ସଭା କରିବେ। ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ । ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ । କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କରିବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶରେ ଯୋଗଦେବେ ।

ଅଧିକ ପଢ଼ନ୍ତୁ: ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’