• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନବୀନ ସରକାରର ସବୁଠୁ ଦୁର୍ବଳ ସ୍ନାୟୁରେ ପ୍ରଚଣ୍ଡ ହମଲା । ପ୍ରତି ଓଡ଼ିଆଙ୍କ ଭାବାବେଗ ପ୍ରତି ବିଜେଡି ସରକାରର ସମ୍ବେନହୀନତାକୁ ଟାର୍ଗେଟ୍ । ଫୁଲବାଣୀ କରୋନେସନ୍ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାମଞ୍ଚରୁ ଏମିତି ଗୋଟିକ ପରେ ଗୋଟିଏ ପ୍ରଶ୍ନବାଣ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ନା ନେଇ ସିଏମ୍ ନବୀନଙ୍କୁ ଜନତାଙ୍କ କାଠଗଡ଼ାରେ ଠିଆ କରେଇଛନ୍ତି ପିଏମ୍ ମୋଦି । କହିଛନ୍ତି- ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ହେଲେ ସେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର ।

ଚାବି କୁଆଡ଼େ ଗଲା, କାହା ପାଖକୁ ଗଲା, ଚାବି ହଜିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଡୁପ୍ଲିକେଟ୍ ଚାବି ତିଆରି ହେବା ତାଠୁ ଅତି ଗମ୍ଭୀର ବିଷୟ ବୋଲି କହିବା ସହ ନକଲି ଚାବିରେ କେହି ରତ୍ନଭଣ୍ଡାରକୁ ଖୋଲି ରତ୍ନ ଚୋରି କରୁନଥିଲା ତ ବୋଲି ସାଂଘାତିକ ପ୍ରଶ୍ନ କରିଛନ୍ତି ମୋଦି । ସେହିପରି ଚାବି ହଜିବା ଘଟଣାରେ କମିଶନ ରିପୋର୍ଟ କାହିଁକି ସାର୍ବଜନୀନ ହେଲାନି, ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ ବୋଲି ପଚାରିଛନ୍ତି ମୋଦି । ଫୁଲବାଣୀ ପରି ବରଗଡ଼ ସଭାରେ ବି ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ଉଠାଇ ବିଜେପି କ୍ଷମତାକୁ ଆସିଲେ ରତ୍ନଭଣ୍ଡାରର ପାରଦର୍ଶିତାର ପୁନସ୍ଥାପନାର ଗ୍ୟାରେଣ୍ଟି ଦେଇଛନ୍ତି ।

୨୪ ମହାସଂଗ୍ରାମରେ ଅସ୍ମିତାକୁ ବଡ଼ ମୁଦ୍ଦା କରିଥିବା ରାଜ୍ୟ ବିଜେପି ଏହାର ସଂକଳ୍ପପତ୍ରରେ ବି ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନ ଦେଇଛି। ଚାବି ହଜିବା ଘଟଣାର ତଦନ୍ତ, ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପରେ ତାଲିକାର ସାର୍ବଜନୀନ ଓ ଭକ୍ତମାନଙ୍କ ପାଇଁ ଚାରିଦ୍ୱାର ଖୋଲିବା ସହ ପରିକ୍ରମା ପ୍ରକଳ୍ପ ବେଳେ ଧ୍ୱଂସ ପାଇଥିବା ମଠଗୁଡ଼ିକର କାର୍ଯ୍ୟକ୍ଷମ ଲାଗି ସହାୟତା ପ୍ରଦାନ ପାଇଁ ବି ସଂକଳ୍ପପତ୍ରରେ ଘୋଷଣା କରିଛି ଦଳ।

ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଧର୍ମ ନାଁରେ ରାଜନୀତି କରୁଥିବା ବିଜେଡି କହିଥିଲା ବେଳେ, ଭକ୍ତ ଓ ସେବାୟତ କିନ୍ତୁ ଏବେବି ସରକାର ଏପ୍ରସଙ୍ଗରେ ଭୂଆଁବୁଲାଇ ଚାଲିଥିବା ଅଭିଯୋଗ କରିଛନ୍ତି ।

୪୫ ବର୍ଷ ତଳେ ଅର୍ଥାତ୍ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ତାଲିକା ହୋଇଥିଲା । ବହୁ ବାଦ-ବିବାଦ ପରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ୧୭ ଜଣିଆ କମିଟି ଯାଇଥିଲେ । କିନ୍ତୁ ଚାବି ନ ଥିବାରୁ ଭିତର ଭଣ୍ଡାରକୁ ନଯାଇ ବାହାରୁ ଅଧାପନ୍ତରିଆ ଯାଞ୍ଚ କରି ଫେରି ଆସିବା ପରେ ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା। ଏସବୁ ଭିତରେ ଏବେ ଯାଏଁ ବି ରତ୍ନଭଣ୍ଡାର ଖୋଲାଯାଇ ନ ପାରିବା ଏବଂ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଆସୁଥିବା ଏ ପ୍ରସଙ୍ଗକୁ, ନିଜ ନିର୍ବାଚନୀ ଭାଷଣକୁ ଆଣି ରାଜ୍ୟରେ ୨୪ ଭୋଟ୍ ଲଢ଼େଇକୁ ନୂଆ ମୋଡ଼ ଦେବାର ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now