‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି ।

Pradip Purohit on Pandian

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା । ଆଜି କିଛି ଏଭଳି ଭାବେ ପାଣ୍ଡିଆନଙ୍କୁ ଟାଗେର୍ଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଏବେ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ । ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡ଼ୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଭିକେ ପାଣ୍ଡିଆନ ନେତା ନୁହଁନ୍ତି, ସେ ବିଜୁ ଜନତା ଦଳର ମାଲିକ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦୀପ ।

ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି ଯେ, ପାଣ୍ଡିଆନ ତାମିଲ୍ ଗୁଣ୍ଡା ଗର୍ଦ୍ଦି ଓଡ଼ିଶାରେ ଲଗେଇବାକୁ ଚେଷ୍ଟା କରୁଛନ୍ତି । ବିଜେପି କର୍ମୀଙ୍କୁ ମାଡ଼ ମାରିବା, ପୋଲିସ ଲଗେଇ ଧମକ ଦେଉଛନ୍ତି । ବିଜେପି କର୍ମୀଙ୍କ ମନ ବଳ ଭାଙ୍ଗି ପାରିବେନି, ଓଡ଼ିଶାରେ ତାମିଲ୍ ଗୁଣ୍ଡାରାଜ କାମ ଦେବନି। ୨୪ ନିର୍ବାଚନରେ ଅଧିକ ଭୟଭୀତ ହୋଇ ବିଜେଡି ଏମିତି ହିଂସା କରୁଛି ବୋଲି କହିଛନ୍ତ ପ୍ରଦୀପ ପୁରୋହିତ । ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ପାଣ୍ଡିଆନ କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିନି।

ଅଧିକ ପଢ଼ନ୍ତୁ: ‘ଚାଷୀଙ୍କ ପ୍ରତି ବିଜେଡି କରିଛି ବିଶ୍ୱାସଘାତ, ୧୦ ହଜାର ଦେବେ କହି ଦେଲେ ୪ ହଜାର’

ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ପ୍ରଦୀପ ପୁରୋହିତ । ରାଜ୍ୟର ଚାଷୀଙ୍କୁ ଧୋକା ଦେଇଛି ବିଜେଡି । ଆଜି କିଛି ଏଭଳି ଅଭିଯୋଗ କରି ପ୍ରେସମିଟ୍ କରିଛି ବିଜେପି । ଚାଷୀଙ୍କ ଆୟରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ଏବେ ରହିଛି ଓଡ଼ିଶା । ୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆଡ଼େ ଗଲା ବୋଲି ପ୍ରେସମିଟରେ ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ସେହିପରି ଶହେ ଟଙ୍କା ବୋନସ ଦେବେ ବୋଲି ରାଜ୍ୟ ସରକାର କହିଥିଲେ, ହେଲେ ତାହା ବି ଦେଲେନି । ଏବେ ରାଜ୍ୟରେ ବିଜେପି ସରକାରକୁ ଆସୁଛି । ବିଜେପି ସରକାର ଆସିଲେ ୫ ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସଂକଳ୍ପ କାର୍ଯ୍ୟକାରୀ ହେବ । ବିଜେପି ଆସିଲେ ୫ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯିବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଶୀତଳ ଭଣ୍ଡାର ଅଚଳ କିନ୍ତୁ ବିଜେପି ଆସିଲେ ରାଜ୍ୟରେ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୀପ । ସେପଟେ ବିଜେପି ଲଗାଇଥିବା ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: କାହିଁକି ଗିରଫ ହେଲେ ଜଗଦ୍ଦେବ? ଏବେବି ଅସ୍ପଷ୍ଟ EVM ଭଙ୍ଗା ସତ