• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ । ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା । EVMରେ ତ୍ରୁଟି ଯୋଗୁ କେଉଁଠି ବିଳମ୍ବରେ ଭୋଟ୍ ପଡ଼ିଥିଲା ତ ଆଉ କେଉଁଠି ଭିଭିପାଟରୁ ଭୋଟିଂ ସ୍ଲିପ୍ ବାହାରିନଥିବା ଅଭିଯୋଗ ଆସିଥିଲା ।

ଏପରିକି ଇଭିଏମ୍ ସିରିଏଲ୍ ନମ୍ବରର ବି ଅଦଳବଦଳ ଅଭିଯୋଗ ଉଠିଥିଲା । ମତଦାନ ବାଧାପ୍ରାପ୍ତ ହେବାରୁ ଅସନ୍ତୋଷ ଝାଡ଼ିଥିଲେ ମତଦାତା । ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୋଟିଂ ବେଳେ EVM ତ୍ରୁଟି...କେଉଁଠି ଘଣ୍ଟାଏ ତ କେଉଁଠି ଦୁଇ ଘଣ୍ଟା ଧରି ଭୋଟିଂରେ ଡେରି ।

ଡିଜିଟାଲ୍ ଜମାନାରେ ମେସିନ୍ ଯନ୍ତ୍ରଣାକୁ ସହିନପାରି ନାପସନ୍ଦ କରିଛନ୍ତି ଯୁବ ଭୋଟର୍ । ଜଗତସିଂହପୁର ଲୋକସଭା କ୍ଷେତ୍ର ନିଆଳିର ୨୩୮ ନମ୍ବର ବୁଥକୁ ଭୋଟ୍ ଦେବାକୁ ଆସି ହଟହଟା ହୋଇଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସମସ୍ତେ । ଭୋଟ୍ ଦେବେ ବୋଲି ସକାଳ ୬ରୁ ଲାଇନ୍ ଲଗାଇଥିଲେ ।

କିନ୍ତୁ ୩ ଘଣ୍ଟା ଧରି ଅପେକ୍ଷା ପରେ ବି ଦୁଇ ଦୁଇଟି EVMରେ ସମସ୍ୟା ଯୋଗୁ ଶେଷରେ ଭୋଟ ନଦେଇ ଘରକୁ ବାହୁଡ଼ିଯାଉଥିବା କହିଛନ୍ତି । କେନ୍ଦ୍ରାପଡ଼ା ମହାକାଳପଡ଼ାର ଜଣେ ବରିଷ୍ଠ ମତଦାତା, ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ଆସିଥିଲେ ବୁଥ୍ ନମ୍ବର ୩୦କୁ ।

ତାଙ୍କ କହିବା କଥା, ଭୋଟ୍ ଦେଲେ । କିନ୍ତୁ ଭିଭିପାଟ୍ ମେସିନରୁ ବାହାରିଲାନି ସ୍ଲିପ୍ । ଏନେଇ ସେ ପୋଲିଂ ଅଧିକାରୀଙ୍କୁ ବି ଜଣାଇଥିଲେ । କିନ୍ତୁ କେହି ଶୁଣିନଥିବା ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ କିନ୍ତୁ କେନ୍ଦ୍ରାପଡା ଜିଲ୍ଲାପାଳ ଖଣ୍ଡନ କରିଛନ୍ତି ।

ତାସହିତ ମହାକାଳପଡ଼ାର ଅନ୍ୟ କେତେକ ବୁଥ୍ ରେ ଯେଉଁ ଇଭିଏମ୍ ତ୍ରୁଟି ଦେଖାଯାଇଥିଲା, ତାକୁ ସଜଡ଼ା ଯାଇ ମତଦାନ ସ୍ୱାଭାବିକ ହୋଇଥିବା କହିଥିଲେ ଜିଲ୍ଲାପାଳ । ଶେଷ ପାଳି ଭୋଟିଂବେଳେ EVM ସମସ୍ୟାକୁ ନେଇ ଏଭଳି ମାଳ ମାଳ ଅଭିଯୋଗ ଭିତରେ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଘଟଣାରେ ବେଶ୍ ହୀନସ୍ତା ହେବାକୁ ପଡ଼ିଥିଲା ମତଦାତାଙ୍କୁ ।

ଚନ୍ଦନପୁରର ୧୫୯ ନମ୍ବର ବୁଥରେ ସକାଳୁ ସକାଳୁ EVM ଠିକ୍ ଚାଲୁଥିଲା । କିନ୍ତୁ ଦିନ ସାଢ଼େ ୧୨ଟା ବେଳେ ହଠାତ୍ ମେସିନ୍ ଅଚଳ ହେଇଯାଇଥିଲା । ଚଡ଼ଦିଆ ପଞ୍ଚାୟତରେ ୨୩୯ ଏବଂ ୨୪୦ ନମ୍ବର ବୁଥରେ ତ ୨ଟି ବିଧାନସଭା EVMର ସିରିୟଲ ନମ୍ୱର ଅଦଳ ବଦଳକୁ ନେଇ ଉପୁଜିଥିଲା ଅସନ୍ତୋଷ ।

ଫଳରେ ପ୍ରାୟ ୨ ଘଣ୍ଟା ଧରି ବନ୍ଦ ରହିଥିଲା ଭୋଟିଂ । କେବଳ ଏତିକି ନୁହେଁ, କେନ୍ଦ୍ରାପଡା ଜିଲ୍ଲା ଆଳିର ୧୯୬ ନମ୍ବର ବୁଥ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜାମୁଶୁଳି ହାଇସ୍କୁଲର ୨୪୮ ନମ୍ବର, ଜଳେଶ୍ୱର ବିରିଶପୁର ପ୍ରାଥମିକ ବିଦ୍ୟାଳୟ ୯୮ ଓ ଗଡସାହି ସ୍କୁଲର ୩୬ ନମ୍ବର, ଭୋଗରାଇ ବ୍ଲକର ବଡ଼ମନ୍ଦାରୁଣୀ ସରକାରୀ ହାଇସ୍କୁଲର ୩୫ ନମ୍ବର, ପାରାଦୀପ ନିର୍ବାଚନମଣ୍ଡଳୀର ୧୭୧, ୧୯୯, ୧୮୧, ୨୦୩, ୨୩୧ ନମ୍ବର ବୁଥରେ ଯାନ୍ତ୍ରିକ ସମସ୍ୟା ଯୋଗୁ ବିଳମ୍ବ ହୋଇଥିଲା ମତଦାନ ।

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ନେତା ଓ ଜନତା । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏ ପର୍ଯ୍ୟାୟ ନିର୍ବାଚନରେ EVM ଏବଂ ଭିଭିପାଟରେ ଆସିଥିବା ତ୍ରୁଟି ସାମାନ୍ୟ । କୌଣସି ପ୍ରକାର ଅସ୍ୱାଭାବିକ ତ୍ରୁଟି ହୋଇନି । ଖରା ଓ ପାଗ ଯୋଗୁଁ ମେସିନରେ ସମସ୍ୟା ଦେଖାଦେଇଥିଲା ।

ଦିନ ଗୋଟାଏ ସୁଦ୍ଧା ୧୨୯ଟି ବାଲାଟ୍ ୟୁନିଟ୍, ୧୮୯ଟି କଣ୍ଟ୍ରୋଲ ୟୁନିଟ୍ ଓ ୫୧୫ଟି ଭିଭିପାଟ୍ ବଦଳା ଯାଇଥିବା କହିଥିଲେ ସିଇଓ । ଏଭଳି ନାନା ଅବ୍ୟବସ୍ଥା ଅଭିଯୋଗ ଭିତରେ ଏବେ ଅପେକ୍ଷା, ଚୁଡ଼ାନ୍ତ ମତଦାନ ହାର କେତେ ଆସୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now