Advertisment

୨୪ ମହାସଂଗ୍ରାମର ନାମାଙ୍କନର ପର୍ବ, ବିଶାଳ ରୋଡ୍ ସୋ’ରେ ନାମାଙ୍କନ ଭରିଲେ ହେଭିୱେଟ୍

ନାମାଙ୍କନ ଭରିଲେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ । ଚାନ୍ଦବାଲି ଆସନରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ।

author-image
Satyendu Shekher Mishra
undefined

Odisha Politics

ଚାଲିଛି ନାମାଙ୍କନ ପର୍ବ। କିଏ ଥାଟ ପଟୁଆର ତ କିଏ ସାଇକେଲରେ ଆସି ଭରିଛନ୍ତି ମନୋନୟନ ପତ୍ର। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଯୋଦ୍ଧା ବୈଜୟନ୍ତ ପଣ୍ଡା ଆଜି ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ବି ଭରିଛନ୍ତି ନାମାଙ୍କନ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବିଭିନ୍ନ ଦଳର ବହୁ ନେତା ବି ଆଜି କରିଛନ୍ତି ନୋମିନେସନ।

Advertisment

ବିଶାଳ ପଟୁଆର ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କ ସ୍ଲୋଗାନ ନାମାଙ୍କନ ପୂର୍ବରୁ କେନ୍ଦ୍ରାପଡ଼ାରେ ଆଜି ଏମିତି ଥିଲା ବୈଜୟନ୍ତଙ୍କ ଶକ୍ତି ପ୍ରଦର୍ଶନ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ଭାରତୀୟ ଜନତା ପାର୍ଟିର ଯୋଦ୍ଧା ବୈଜୟନ୍ତ ପଣ୍ଡା ଆଜି ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ପ୍ରଥମେ ତିନି ମୁହାଁଣିସ୍ଥିତ ରାମ ମନ୍ଦିରକୁ ଯାଇ ଠାକୁର ଦର୍ଶନ ସହ ଆଶୀର୍ବାଦ ନେଇଥିଲେ।

ରାମମନ୍ଦିରଠୁ ହିଁ ଆରମ୍ଭ ହୋଇଥିଲା ବିଶାଳ ଶୋଭାଯାତ୍ରା, ଯାହା ତିନିମୁହାଁଣି, କଜଳା,ମହିପାଳ, ବଣିଆମାଳ, କାକଟ ଓ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସ ଯାଏଁ ଆସିଥିଲା । ବାଟରେ ବିଭିନ୍ନ ଛକରେ ବୈଜୟନ୍ତଙ୍କୁ ସ୍ଥାନୀୟ ଜନତା ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଆଗେ ଆଗେ ଖୋଲା ଜିପ୍ ରେ ଚାଲିଥିଲେ କେନ୍ଦ୍ରପଡ଼ା ସଂସଦୀୟ କ୍ଷେତ୍ର ଅଧୀନସ୍ଥ ବିଧାନସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ। ବୈଜୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ନାମାଙ୍କନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ନାମାଙ୍କନ ପରେ ବୈଜୟନ୍ତ- ଗଣତନ୍ତ୍ରର ଏହି ମହାପର୍ବରେ ନିଜ ଅଧିକାର ହାସଲ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ।

Advertisment

ସେପଟେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନୋମିନେସନ ଦାଖଲ କରିଥିଲେ। 

ଅନ୍ୟାନ୍ୟ ସ୍ଥାନରେ ବି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ଚାନ୍ଦବାଲିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭରିଛନ୍ତି ମନୋନୟନ ପତ୍ର। ସେଠିକାର ଆରାଧ୍ୟ ଦେବୀ ମାଆ ଦକ୍ଷିଣେଶ୍ବରୀ କାଳୀଙ୍କୁ ପ୍ରଥମେ ଦର୍ଶନ କରି ମନମୋହନ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି ଭଦ୍ରକ ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ।

ସେହିପରି କୋରେଇ ଆସନରେ ଅଭିନେତାରୁ ରାଜନେତା ସାଜିଥିବା ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ମଧ୍ୟ ବଡ଼ ରାଲିରେ ଯାଇ ନୋମିନେସନ ଦାଖଲ କରିଛନ୍ତି। ମାହାଙ୍ଗାରେ ବିଜେପି ପ୍ରାର୍ଥୀ ସୁମନ୍ତ ଘଡେଇ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେପଟେ ପାଟକୁରାରୁ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ କେନ୍ଦ୍ରାପଡ଼ାରେ ଗଣେଶ୍ୱର ବେହେରା ଉପଜିଲ୍ଲାପାଙ୍କ ଅଫିସକୁ ରାଲିରେ ଆସି ନିଜ ନିଜର ନାମାଙ୍କନ ଭରିଛନ୍ତି।

ପାଟକୁରାରୁ କଂଗ୍ରେସ ପ୍ରାର୍ଥୀ ଭାବେ ରତିକାନ୍ତ କାନୁନଗୋ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର। ସେହିପରି ଭଣ୍ଡାରୀ ପୋଖରି ଆସନରୁ କଂଗ୍ରେସ ହେଭିୱେଟ୍ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସଦଳବଳେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେମିତି ବଡ଼ଚଣାରୁ ଅଭିନେତ୍ରୀ ତଥା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଆଜି ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର।

ସେପଟେ ମୟୂରଭଞ୍ଜ ଲୋକସଭା ସହ ସାରସକଣା ବିଧାନସଭା ଆସନରୁ ଜେଏମଏମ୍ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଅଞ୍ଜନି ସୋରେନ। ଅଞ୍ଜନି ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ। ସେହପରି ପୁରୀ ନିମାପଡ଼ା ବିଧାନସଭା ଆସନ ପାଇଁ ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ସାଇକେଲରେ ଆସି କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

BJD BJP Congress Odisha Politics General Election 2024
Advertisment
Advertisment