• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାତ୍ରାଧିକ ଦାବିଦାର ? ନା ବିଦ୍ରୋହ ଡର ? କେଉଁ କାରଣରୁ ପଶ୍ଚିମ ଓଡ଼ିଶାର ଅତି ସମ୍ମାନଜନକ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅଧାରୁ ଅଧିକ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି । ଯେଉଁଠି ସମ୍ବଲପୁର ଲୋକସଭା ପାଇଁ ଢେର ଆଗରୁ ବିଜେପି ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବାକୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁରରୁ ନେଇ ସେଠି ପ୍ରାର୍ଥୀ କରିଛି।

ତାହାଲେ ଏଯାଏଁ କାହିଁକି କୁଚିଣ୍ଡା, ସମ୍ବଲପୁର, ରେଢ଼ାଖୋଲ ଓ ଦେବଗଡ଼ ଆସନ ପାଇଁ ଦଳୀୟ ଟିକେଟ୍ ଅଙ୍କ ଛିଣ୍ଡେଇ ପାରୁନି ? କେଉଁ କାରଣରୁ କେବଳ ରେଙ୍ଗାଳି,ଛେଣ୍ଡିପଦା ଓ ଆଠମଲ୍ଲିକରେ ପ୍ରାର୍ଥୀ ଘୋଷଣା କରି ଆଉ ଆଗକୁ ଯାଇପାରୁନି ଦଳ ? କୁହାଯାଉଛି ଯେହେତୁ ବାକି ୪ ଆସନରେ ପୁଳା ପୁଳା ଆଶାୟୀ ଅଛନ୍ତି, ତେଣୁ ବିଦ୍ରୋହୀଙ୍କୁ ମ୍ୟାନେଜ୍ କରିବା ବିଜେଡି ପାଇଁ କାଠିକର ପାଠ ହୋଇଥିବା ଚର୍ଚ୍ଚା ହେଉଛି।

ତେବେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଯେଉଁ ଦୁଇଟି ବିଧାନସଭା ଆସନ ବିଜେଡି ପାଇଁ ବେଶୀ ମୁଣ୍ଡବ୍ୟଥାର କାରଣ ପାଲଟିଛି ତାହା ହେଲା ସମ୍ବଲପୁର ଓ ରେଢାଖୋଲ। ସମ୍ବଲପୁରରେ ଏଥର ବିଜେପି, ପୁଣି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟିକେଟ୍ ଦେଇଛି। ଜୟନାରାୟଣଙ୍କ ନିଜସ୍ୱ ଦୃଢ଼ ସଂଗଠନ ଓ ମୋଦିଙ୍କ ଲୋକପ୍ରିୟତା ତାଙ୍କ ପାଇଁ ଏଥର ବଡ଼ ଅସ୍ତ୍ର। ହେଲେ ତାଙ୍କୁ ଟକ୍କର ଦେବାକୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ଅଙ୍କ କଷୁଛି।

ଯେହେତୁ ସେଠି ଏବେ ମାତ୍ରାଧିକ ଦାବିଦାର, ତେଣୁ ତାକୁ ନେଇ ଦଳ ଅକଳରେ ପଡିଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଉଥରେ ଟିକେଟ୍ ଦେବାକୁ ତାଙ୍କ ସମର୍ଥକ ଖୋଲାଖୋଲି ଦାବି କରୁଥିବାବେଳେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ବି ଲବିରେ। ସେପଟେ ବର୍ତ୍ତମାନର ରେଢାଖୋଲ ବିଧାୟକ ରୋହିତ ପୂଜାରୀ ମନ୍ତ୍ରୀପଦରୁ ଯିବା ପରେ ତାଙ୍କ ପତିଆରା କମିଛି। ତାଙ୍କୁ ଆଉ ରେଢାଖୋଲରୁ ପ୍ରାର୍ଥୀ ନକରିବାକୁ ଦଳ ଚାହୁଁଛି।

ତେବେ ଏଭଳି ସ୍ଥିତିରେ ରୋହିତଙ୍କୁ ରେଢାଖୋଲ ନହେଲେ ସମ୍ବଲପୁରରୁ ପ୍ରାର୍ଥୀ କରାଯାଉ ବୋଲି ଦାବି ଉଠିଲାଣି। ସେପଟେ କିଛିଦିନ ତଳେ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ସୁସ୍ଥ ହୋଇଥିବା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବି ୟା ଭିତରେ ନବୀନ ନିବାସ ଯାଇ ସାକ୍ଷାତ କରି ଫେରିଲେଣି। ତେଣୁ ତାଙ୍କୁ ଦଳ ରେଢାଖୋଲରେ ଆଡଜଷ୍ଟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ତେଣେ ସେଇ ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀଙ୍କୁ ଛାଡ଼ି ଯୁବ ନେତା ସଂଜୀତ ମହାନ୍ତି ବି ରେସ୍‌ରେ ରହିଛନ୍ତି। ଏହା ବି ଚର୍ଚ୍ଚା ହେଉଛି, ୧୯ ନିର୍ବାଚନ ଭଳି ଏଥର ବି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା, ଖାସ୍ କରି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଗୋଟିଏ ଆସନରୁ ଲଢିପାରନ୍ତି। ସେପଟେ କିନ୍ତୁ ଟିକେଟ୍ ଅଙ୍କ ଛିଣ୍ଡୁନଥିବାରୁ ଦ୍ୱନ୍ଦ୍ୱରେ ଅଛନ୍ତି ତୃଣମୂଳସ୍ତରର କର୍ମୀ।

ସମ୍ବଲପୁର ଲୋକସଭା ଆସନ ହେଉ କି ଏହା ଅନ୍ତର୍ଗତ ୭ ବିଧାନସଭା, ସବୁଠି ମଇଦାନରେ ବିଜେପି ନିଜ ଯୋଦ୍ଧାଙ୍କୁ ଆଗୁଆ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିବାବେଳେ, ବିଜେଡି ଅଧାରେ ଝୁଲିଛି ଓ କଂଗ୍ରେସ ଏଯାଏଁ ଖାତା ଖୋଲିନି।

  • Reported by:
  • SANJAY JENA , RAMAKANTA MAHANANDA