• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୋଟ୍ ଦେଲା ଓଡ଼ିଶା । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ମନପସନ୍ଦର ପ୍ରତିନିଧି ବାଛିଛନ୍ତି ମତଦାତା । ଇଭିଏମରେ ସିଲ୍ ହୋଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟ୍ କେନ୍ଦ୍ର ଆଗରେ ସାଧାରଣ ଭୋଟରଙ୍କ ଭଳି ଧାଡ଼ିରେ ଠିଆହୋଇ ନିଜ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି ହେଭିୱେଟ୍ ନେତା, ପ୍ରାର୍ଥୀ ଓ ବିଶିଷ୍ଟ ବ୍ୟକ୍ତି ।

ସକାଳ ୭ଟାରୁ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଖଚାଖଚ ଭିଡ । ଭୋଟ୍ ଦେବାକୁ ଲମ୍ବିଥିଲା ଲାଇନ୍ । ଆଉ ଦେଖିବାକୁ ମିଳିଥିଲା ଗଣତନ୍ତ୍ରର ମହାପର୍ବରେ ଗର୍ବ ଓ ଗୌରବର ଚିତ୍ର । ନାକରେ ଅକ୍ସିଜେନ୍ ପାଇପ ଲଗାଇ ରୋଗୀ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ । ଭୁବନେଶ୍ୱର ରାଜଭବନ ସ୍କୁଲ୍ ବୁଥରେ ଭୋଟ୍ ଦେଇଥିଲେ ସୁରେନ ଝୁନଝୁନଵାଲା ଓ ତାଙ୍କ ପତ୍ନୀ ।

ସକାଳ ପ୍ରାୟ ୧୦ଟା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ ନମ୍ବର ବୁଥରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ପରିବାର ସହ ଭୁବନେଶ୍ୱର ରାଜଭବନ ୟୁପି ସ୍କୁଲରେ ମତଦାନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ଲାଇନରେ ଠିଆ ହୋଇ ଭୋଟ୍ ଦେବା ସହ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ବୈଜୟନ୍ତ । ସେହିପରି ଅପରାହ୍ଣରେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥିବା ବେଳେ ସକାଳୁ ନୟାପଲ୍ଲୀ ୧୨୮ ନମ୍ବର ବୁଥରେ ମତଦାନ କରିଥିଲେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।

ସେହିପରି ଭୋଟ୍ ଦେବାକୁ ଅଟୋରେ ପହଁଚିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ମତଦାନ କରିବା ପରେ କ୍ୟାମେରା ଆଗରେ କାଳି ଲଗା ଆଙ୍ଗୁଠି ଦେଖାଇ ଫଟୋ ପୋଜ ବି ଦେଇଥିଲେ । ସେହିପରି କଟକରେ ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ଦୁଇ ସାଂସଦ ପ୍ରାର୍ଥୀ ବିଜେପିର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସନ୍ତୃପ୍ତ ମିଶ୍ର ।

ପୁରୀରେ ଭୋଟରଙ୍କ ଭିଡ ଭିତରେ ଲମ୍ବା ଧାଡିରେ ଠିଆ ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । କଂଗ୍ରେସ ଭେଟେରାନ୍ ଜୟଦେବ ଜେନା, ସୁର ରାଉତରାୟ, ଭୁବନେଶ୍ୱରର ୩ ଆସନରୁ ବିଜେପିର ୩ ବିଧାୟକ ପ୍ରାର୍ଥୀ ବାବୁ ସିଂ, ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର ବି ନିଜ ନିଜ ବୁଥ୍ ରେ ଦେଇଛନ୍ତି ଭୋଟ୍ ।

ତୃତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଛି ଟ୍ୱିନ ସିଟି । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ବୁଥରେ ମତଦାନ କରିବା ସହ ନିଜ ନେତାଙ୍କୁ ବାଛିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେହିପରି କଟକରେ ଭୋଟ୍ ଦେଇଛନ୍ତି ଅଭିନେତା ତଥା ସାଲେପୁରରୁ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ବ୍ରହ୍ମଗିରିରୁ ବିଜେପି ବିଧାୟକ ପ୍ରାର୍ଥୀ ଉପାସନା ମହାପାତ୍ର ନିଜ ଗାଁ ଗଡ଼ରୋଡ଼ଙ୍ଗ ବୁଥକୁ ଯାଇ ମତଦାନ କରିଥିବା ବେଳେ କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ୍ ପୁରା ପରିବାର ସହ ଯାଇ ଦେଇଥିଲେ ଭୋଟ୍ ।

ନେତା, ଅଭିନେତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ ପର୍ବରେ ସାମିଲ ହୋଇଛନ୍ତି ରାଜ୍ୟର ବରିଷ୍ଠ ଓ ଉଚ୍ଚପଦସ୍ତ ସରକାରୀ ଅଧିକାରୀ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ, ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା, ଆଇଏଏସ୍ ଦଂପତି ଅରବିନ୍ଦ ପାଢ଼ୀ ଓ ଉଷା ପାଢ଼ୀ ପ୍ରମୁଖ ଭୋଟ୍ ଦେଇଛନ୍ତି ।

ସେପଟେ ଶ୍ରୀକ୍ଷେତ୍ର ପୁରୀରେ ପତ୍ନୀ ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଦୋଳମଣ୍ଡପସାହି ବୁଥରେ ଭୋଟ୍ ଦେଇଛନ୍ତି ଗଜପତି ମହାରାଜା । ସରିଛି ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଆସନ୍ତା ଜୁନ୍ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଏଥିରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ତା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ୍ ।

OTV is now on Whatsapp

Join and get latest news update delivered to you via whatsapp

Join Now