• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗୋଟିଏ ପଟେ ନିର୍ବାଚନ, ଆରପଟେ ଅସମ୍ଭାଳ ଗରମ । ନେତାଙ୍କୁ ଘରୁ ବାହାରିଲେ ବିପଦ...ନ ବାହାରିଲେ ବି ବିପଦ । ୪୨-୪୩ ଡିଗ୍ରୀ ପାରଦକୁ ଦେଖି ନେତାଙ୍କ ଏବେ ଅକଲ ଗୁଡୁମ୍ ଅବସ୍ଥା । ଟିକଟ ପାଇବା ପରଠୁ ଯଦିବା ନେତାଙ୍କୁ ଫୁରସତ ନାହିଁ, କିନ୍ତୁ କଲବଲ କରୁଛି ତାତି।ଏଇ ଯେମିତି ସୋମବାରର ଘଟଣା।...ପ୍ରଚାର ପାଇଁ ଯାଇଥିବାବେଳେ ପିପିଲିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଅବଶ୍ୟ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ପରେ ସୁସ୍ଥ ହୋଇଥିଲେ ଅରୂପ। ଏଭଳି ଘଟଣା ପରେ ନେତାଙ୍କୁ ପଶିଛି ଛନକା। ସତର୍କ ହୋଇଯାଇଛନ୍ତି ନେତା ଏବଂ ସମର୍ଥକ । ପର୍ଯ୍ୟାପ୍ତ ପାଣି ପିଉଛନ୍ତି, ପଇଡ଼ ପିଇ ପ୍ରଚାର କରୁଛନ୍ତି ଏଭଳି ଭାବେ । ଭୋଟ୍ ପାଖେଇ ଆସୁଥିବାରୁ ଏଭଳି ଉପାୟ ଆପଣାଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ନେତା ।

ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି । ସେହିପରି ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ବି ସକାଳେ ନଚେତ ଅପରାହ୍ନରେ ଟେଣ୍ଟ ବାନ୍ଧି ବୈଠକ କରୁଛନ୍ତି । କାରଣ ଏଭଳି ପ୍ରାଣଘାତୀ ଖରାରେ ସଭାସମିତିକୁ ଲୋକ ଆସୁନାହାଁନ୍ତି ।

ନିର୍ବାଚନ ଯେତେବେଳେ ଆସିଛି, ଭୋଟ୍ ଅମଳ ପାଇଁ ଯେକୌଣସି ପ୍ରତିକୂଳ ସ୍ଥିତିକୁ ବି ସହିବାକୁ ପଡ଼ିବ । ନଚେତ୍ ଗଡ଼ବଡ଼ ହୋଇପାରେ ଅଙ୍କ । ତେଣୁ ନେତାଙ୍କ ପାଇଁ ଖରା ପ୍ରଭାବହୀନ ହୋଇପଡ଼ୁଥିଲେ ବି ମୁଣ୍ଡରେ ଟୋପି ଆଉ ବେକରେ ଗାମୁଛା ପକାଇ ପହଞ୍ଚୁଛନ୍ତି ଜନତାଙ୍କ ପାଖରେ । ଅତନୁ ସବ୍ୟସାଚୀ ନାୟକ ପାଟପଟୁଆର ସହ ମୁଣ୍ଡ ଉପରେ ଛତା ଟାଙ୍ଗି ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାୟଗଡ଼ା ଜିଲ୍ଲାରେ ଏଭଳି ପ୍ରଚାର କରିଛନ୍ତି। ବୀରମହାରାଜପୁର ବିଧାୟକ ପ୍ରାର୍ଥି ପଦ୍ମନାଭ ବେହେରା ବି ମୁଣ୍ଡରେ ଟୋପି ପିନ୍ଧି ଗାଁକୁ ଗାଁ ବୁଲୁଛନ୍ତି । କଣ୍ଟାବାଂଜି କଂଗ୍ରେସ ବିଧାୟକ ପ୍ରାର୍ଥି ସନ୍ତୋଷ ସିଂ ସାଲୁଜା ପ୍ରାୟତଃ ସନ୍ଧ୍ୟାବେଳେ କର୍ମୀ ସମ୍ମିଳନୀ ଓ ବୈଠକ କରି ଭୋଟ୍ ଭିକ୍ଷା କରୁଛନ୍ତି।

କେବଳ ପ୍ରାର୍ଥୀ ନୁହଁନ୍ତି, ମତଦାତାଙ୍କୁ ବି ଘାରିଛି ଅସମ୍ଭାଳ ଗ୍ରୀଷ୍ମ ଚିନ୍ତା । କହିଛନ୍ତି ଜୀବନକୁ ଦେଖିବୁ ନା ନେତାଙ୍କୁ । ଏଥର ନିର୍ବାଚନବେଳେ ସ୍ୱାଭାବିକଠାରୁ ଅଧିକ ରହିବ ଗ୍ରୀଷ୍ମରର ପ୍ରଭାବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଏବଂ ଅଂଶୀଦାର ମାନଙ୍କ ସହ ଆଲୋଚନା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ତା’ସହ ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ସମସ୍ତ ପର୍ଯ୍ୟାୟରେ ହେବାକୁ ଥିବା ଭୋଟିଂର ୫ ଦିନ ପୂର୍ବରୁ ଏହି ଟିମ୍ ସମ୍ଭାବ୍ୟ ସ୍ଥିତିର ଅନୁଧ୍ୟାନ ସହ ଆବଶ୍ୟକ ପଦକ୍ଷେପ ନେବ।