Advertisment

ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Nilgiri

ଚରମ ସୀମାରେ ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି। ଖାସ୍ କରି ନୀଳଗିରି ଆସନରେ ବିଜେଡି, ବିଧାୟକ ସୁକାନ୍ତ ନାୟକଙ୍କୁ ଦଳରେ ମିଶାଇବା ପରେ ସନ୍ତୋଷ ଖଟୁଆଙ୍କ ଅସନ୍ତୋଷ ଚରମ ସୀମାରେ । ଉଭୟ ଗୋଷ୍ଠୀ ଟକରା ଟକରି ସ୍ଥିତିରେ । ସେପଟେ ଭୋଗରାଇ ଓ ରେମୁଣାରେ ବି ଏଯାଏଁ ଦଳର ଟିକଟ୍ ଅଙ୍କ ଛିଣ୍ଡି ପାରୁନି ।

Advertisment

ବଢୁଛି ବିଜେଡିର ବାଲେଶ୍ବର ଅଡୁଆ । ଜିଲ୍ଲାର ନୀଳଗିରି, ଭୋଗରାଇ ଓ ରେମୁଣାରେ ଛିଣ୍ଡୁନି ଦଳୀୟ ଅଙ୍କ । ସବୁଠୁ ବେଶି ଅଡୁଆ ନୀଳଗିରିରେ । ଆସନ ଏକ୍, କିନ୍ତୁ ଆଶାୟୀ ଦୁଇ। ଆଉ ଦୁଇ ଆଶାୟୀଙ୍କର ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଦଳୀୟ କାର୍ଯ୍ୟାଳୟ। ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ, ନିକଟରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ଅଫିସ୍ ଖୋଲିଛି ରଥ ଦାଣ୍ଡରେ ।

ସେହିପରି ଟିକଟ୍ ଆଶାୟୀ ଥିବା ସନ୍ତୋଷ ଖଟୁଆଙ୍କ ଅଫିସ୍ ରହିଛି ମହିଳା ମହାବିଦ୍ୟାଳୟ ନିକଟରେ । ୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆଙ୍କୁ ହିଁ ହରାଇ ପଦ୍ମ ଚିହ୍ନରେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏଥର ସୁକାନ୍ତ ଶଙ୍ଖ ଧରିବା ପରେ ସଂପୂର୍ଣ୍ଣ ଗୋଳିଆ ହୋଇଯାଇଛି ନୀଳଗିରି ଅଙ୍କ। ସନ୍ତୋଷଙ୍କ ଗୋଷ୍ଠୀ ଖୋଲାଖୋଲି ସୁକାନ୍ତ ନାୟକଙ୍କୁ ବିରୋଧ କରୁଛନ୍ତି। ସୁକାନ୍ତ ମଧ୍ୟ ପାରାଲାଲ୍ ମିଟିଂ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି। ସନ୍ତୋଷ ନୀଳିଗିରିରେ ଏକ ଶୋଭାଯାତ୍ରା ବେଳେ ସୁକାନ୍ତଙ୍କୁ ଆକ୍ଷେପ କରି କହିଛନ୍ତି ପାଣି ଆଉ ତେଲ କେବେ ଏକାଠି ହୋଇପରିବେନି। ସେପଟେ କର୍ମୀ କାହାକୁ ଭରସା କରିବେ ଜାଣିପାରୁ ନାହାଁନ୍ତି । 

Advertisment

ସମାନ ଅବସ୍ଥା ଭୋଗରାଇରେ । ବର୍ତ୍ତମାନର ବିଧାୟକ ଅନନ୍ତ ଦାସ ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢିବା ସ୍ଥିତିରେ ନାହାନ୍ତି । ତେଣୁ ଏଠାରୁ କିଏ ହେବ ତାଙ୍କ ଉତ୍ତରାଧିକାରୀ ତାରୁ ନେଇ ଚାଲିଛି ବଳ କସାକସି । ଅନନ୍ତ ଚାହୁଁଛନ୍ତି ଏଥର ତାଙ୍କ ପୁଅ ଅଭିଜିତ୍ ଦାସଙ୍କୁ ଟିକଟ୍ ମିଳୁ । କିନ୍ତୁ ଏହାକୁ ଖୋଲାଖୋଲି ବିରୋଧ କରୁଛନ୍ତି ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଭୁବନାନନ୍ଦ ଦାସ ଓ ସାମ୍ବାଦିକରୁ ରାଜନେତା ସହ ଦଳର ରାଜ୍ୟ ମୁଖପାତ୍ର ସାଜିଥିବା ଗୌତମ ବୁଦ୍ଧ ଦାସ ।

ଠିକ୍ ସମାନ ଅବସ୍ଥା ରେମୁଣା ବିଧାନସଭା ଆସନରେ । ଏହି ଆସନ ଅନୁସୂଚିତ ଜାତିପାଇଁ ସଂରକ୍ଷିତ ଥିବା ବେଳେ ଏଠାରେ ବିଧାୟକ ଥିବା ସୁଧାଂଶୁ ଶେଖର ପରିଡାଙ୍କୁ ଦଳ କୃଷି ଯନ୍ତ୍ରପାତି ହଡ଼ପ ଘଟଣାରେ କିଛି ମାସ ତଳେ ବହିଷ୍କାର କରିଥିଲା । ଏଠାରୁ ଦଳୀୟ ଟିକଟ୍ ପାଇଁ ଆଶା ରଖିଛନ୍ତି ଶାନ୍ତା ଦାସ ଓ ଦୀପକ ପରିଡ଼ାଙ୍କ ଭଳି ଏକାଧିକ ନେତା । ହେଲେ ଏସବୁ ଆସନ କାଳେ ବିରୋଧୀଙ୍କ ହାତକୁ ଚାଲିଯିବ, ସେନେଇ ବିଜେଡି ଅକଳରେ ପଡି ଏଯାଏଁ ଟିକେଟ୍ ଘୋଷଣା କରିପାରିନି ।

BJD General Elections 2024
Advertisment
Advertisment