Advertisment

ଓଡ଼ିଶା ଜଙ୍ଗଲରେ କଲରା ପତରିଆ ବାଘଙ୍କ ରାଜ୍

ରାଜ୍ୟରେ ଏବେ ୬୯୬ ଲିଓପାର୍ଡ, ୨ ବର୍ଷରେ ବଢ଼ିଛନ୍ତି ୧୨୮ ।

author-image
Satyendu Shekher Mishra
undefined

Leopard

ଓଡ଼ିଶା ଜଙ୍ଗଲରେ କଲରାପତରିଆଙ୍କ ରାଜୁତି। ଦୁଇ ବର୍ଷରେ ସଂଖ୍ୟା ବଢ଼ିଛି ୧୨୮ । ୨୦୨୨ ରେ ଥିଲେ ୫୬୮ । ଆଉ ଏବେ ଅଛନ୍ତି ୬୯୬। ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପ୍ରକାଶିତ ରାଜ୍ୟ ସରକାରଙ୍କ ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ମିଳିଛି ଏ ତଥ୍ୟ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟ ସମେତ ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପରେ ଅଛନ୍ତି ସବୁଠୁ ଅଧିକ ପାଖାପାଖି ୨୦୦ କଲରାପତରିଆ।

Advertisment

ଏହାପଛକୁ ସାତକୋଶିଆ-ଆଠମଲ୍ଲିକ-ବୌଦ୍ଧ ଲ୍ୟାଣ୍ଡସ୍କେପରେ ୧୫୦ରୁ ୧୬୦, ସମ୍ବଲପୁର-ହୀରାକୁଦ-ରେଢାଖୋଲରେ ୭୦ରୁ ୮୦, ଖରିଆର-ସୁନାବେଡ଼ାରେ ୪୦ରୁ ୫୦ ଓ ଢେଙ୍କାନାଳ-କପିଳାସ ଲ୍ୟାଣ୍ଡସ୍କେପରେ ଅଛନ୍ତି ପାଖାପାଖି ୨୦ଟି କଲରାପତରିଆ ବାଘ।

ଯଦିଓ ରାଜ୍ୟର ନିଜସ୍ୱ ପ୍ରଥମ କଲରାପତରିଆ ଗଣନାରେ ପୂର୍ବଥର ଅପେକ୍ଷା ସଂଖ୍ୟା ବଢ଼ିଛି, ହେଲେ ୨୦୧୮ର ଗଣନା ତୁଳନାରେ ଢେର୍ କମ୍ ଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ। ଖୋଦ୍ ଜଙ୍ଗଲ ମନ୍ତ୍ରୀ ବି କହିଛନ୍ତି, ଯଦିଓ ଚଳିତ ଗଣନାରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଛି, ତାହା ଆହୁରି ବଢ଼ିବା କଥା । ତେବେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ୨୦୧୮ ଓ ୨୦୨୨ରେ ଏନ୍‌ଟିସିଏ କରିଥିବା କଲରାପତରିଆ ଗଣନା ଷ୍ଟାଟିଷ୍ଟିକାଲ ମଡେଲରେ ହୋଇଥିଲା।

Advertisment

ସେତେବେଳେ ସାତକୋଶିଆ ଓ ଶିମିଳିପାଳ ଭଳି ସୀମିତ ସ୍ଥାନରେ ଖଞ୍ଜାଯାଇଥିଲା କ୍ୟାମେରା ଟ୍ରାପ୍। ଏଥର କିନ୍ତୁ ୪୭ ବନଖଣ୍ଡରେ କ୍ୟାମେରା ଟ୍ରାପ୍ ଲାଗିଥିଲା। ୨୦୨୨ରେ ଏନ୍‌ଟିସିଏକୁ କ୍ୟାମେରା ଟ୍ରାପରେ ୧୦୦ରୁ କମ୍ ୟୁନିକ୍ କଲରାପତରିଆ ମିଳିଥିବା ବେଳେ ଏଥର ୨୮୪ରୁ ୨୯୬ ୟୁନିକ୍ କଲରାପତରିଆ ମିଳିଛି।

ପୂର୍ବତନ ଏନ୍‌ଟିସିଏ ମୁଖ୍ୟଙ୍କ କହିବା କଥା, ରାଜ୍ୟରେ କଲରାପତରିଆ ସଂଖ୍ୟା ବଢ଼ିବା ଭଲ ସଙ୍କେତ। କିନ୍ତୁ ରାଜ୍ୟ ସରକାରଙ୍କ ନିଜସ୍ବ ଗଣନାରେ ବି କଲରାପତରିଆଙ୍କ ସଂଖ୍ୟା ଏନ୍‌ଟିସିଏର ୨୦୧୮ ଆକଳନ ତୁଳନାରେ କମ୍ ରହିଛି। ଅନେକ ସମୟରେ କଲରାପତରିଆ ଶିକାର ଓ ଛାଲ ଜବତ ଖବର ଆସୁଛି। ତେଣୁ କଲରାପତରିଆଙ୍କ ସୁରକ୍ଷା ପାଇଁ ଆହୁରି ଅଧିକ ପଦକ୍ଷେପ ନିଆଯିବା ଆବଶ୍ୟକ।

ବନ୍ୟପ୍ରାଣୀ ପିସିସିଏଫ୍ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟରେ ଆଗାମୀ ଦିନରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା କ୍ଷୀଣ। କାରଣ ରାଜ୍ୟରେ ଘଞ୍ଚ ଜଙ୍ଗଲ ଓ ମହାବଳ ଥିବାରୁ କଲରାପତରିଆଙ୍କୁ ତିଷ୍ଠି ରହିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି।

Leopard
Advertisment
Advertisment