• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାପାଙ୍କ ଫିଲଡରେ ପ୍ଲେୟାର୍ ସାଜିବେ ପୁଅ । ନିର୍ବାଚନୀ ମୈଦାନରେ ଖେଳିବେ ନ୍ୟୁ ଜେନେରେସନ । କାରଣ ୨୪ ନିର୍ବାଚନର ପଲିଟିକାଲ୍ ଲଢ଼େଇରେ ବିରାମ ଲଗାଇ ପୁଅଙ୍କୁ ବାଟ ଛାଡ଼ିଛନ୍ତି ବାପା । ଏହି ଯେମିତି ବଲାଙ୍ଗିରର ଭେଟେରାନ୍ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ଏଥର ନିର୍ବାଚନୀ ରାଜନୀତିରୁ ନରସିଂହଙ୍କ ସନ୍ୟାସ ପରେ ତାଙ୍କ ଲିଗାସୀକୁ ଧରି ମୈଦାନକୁ ଓହ୍ଲାଇବେ ସାନ ପୁଅ ସମରେନ୍ଦ୍ର ମିଶ୍ର । ଗତଥର କଂଗ୍ରେସରୁ ବନିଥିଲେ ସାଂସଦ ପ୍ରାର୍ଥୀ । କିନ୍ତୁ, ପରାଜୟ ଭୋଗିଥିବା ସମରେନ୍ଦ୍ର ଏଥର ବାପାଙ୍କ ଆସନ ତଥା ବଲାଙ୍ଗିର ବିଧାନସଭାରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବେ ।

ବଲାଙ୍ଗୀରର ଭେଜିଟେବଲ ପକେଟ ଭାବେ ଜଣାଶୁଣା ଲୋଇସିଂହାରେ ବି ଦେଖିବାକୁ ମିଳିବ ନୂଆ ଚେହେରା । ଏଥର ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଉଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ ବନିଥିବା ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା । ନିର୍ବାଚନୀ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିବା ଯୋଗେନ୍ଦ୍ର ଲୋଇସିଂହା ଆସନରୁ ପୁଅକୁ ବିଜେଡି ଟିକଟରେ ଛିଡ଼ା କରାଇଛନ୍ତି । ତେଣେ କଳାହାଣ୍ଡି ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପ୍ରଥମ ଥର ପାଇଁ ଭାଗ୍ୟ ପରୀକ୍ଷା କରିବେ ନୂଆପଡ଼ା ସଦର ଆସନରୁ । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ରାଜ୍ୟ କଂଗ୍ରେସ ମୁଖିଆ ଶରତ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବେ ଅଭିନନ୍ଦନ ।

ସମାନ ନିଷ୍ପତ୍ତି ନେଇଛନ୍ତି ବିଜେଡିର ଭେଟେରାନ ଅନଙ୍ଗ ଉଦୟ ସିଂଦେଓ । ସେ ବି ନିର୍ବାଚନ ରାଜନୀତିରୁ ସନ୍ୟାସ ଘୋଷଣା ପରେ ବାପାଙ୍କ ମଙ୍ଗ ଧରି ନିର୍ବାଚନୀ ବୈତରଣୀ ପାରିହେବାକୁ ପଣ କରିଛନ୍ତି ବଡ଼ପୁଅ କଳିକେଶ ନାରାୟଣ ସିଂଦେଓ । ପୂର୍ବରୁ ଦୁଇ ଦୁଇ ଥର ସାଂସଦ ବନିଥିବା କଳିକେଶ ଗତଥର ପରାଜୟ ଏବଂ ବାପାଙ୍କ ସନ୍ୟାସ ପରେ ଏଥର ବଲାଙ୍ଗିର ବିଧାନସଭା ସିଟରେ ବିଜେଡି ଟିକଟରେ ଭାଗ୍ୟ ପରୀକ୍ଷା କରିବେ ।

ସେହିପରି କଳାହାଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି କଂଗ୍ରେସର ବାପ-ପୁଅ ଯୋଡ଼ି । କଂଗ୍ରେସର ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ଏବଂ ତାଙ୍କ ପୁଅ ସାଗର ଚରଣ ଦାସ । ଭବାନୀପାଟଣା ଆସନକୁ ପୂର୍ବରୁ ମୋଟ୍ ୩ ଥର ଦଖଲ କରିଥିବା କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ଏଥର ବି ପୁଅକୁ ମୈଦାନକୁ ଆଣିଛନ୍ତି । ୧୯ ନିର୍ବାଚନରେ ତୃତୀୟ ସ୍ଥାନ ସହ ପରାଜୟ ବରଣ କରିଥିବା ପୁଅ ସାଗର ଭବାନୀପାଟଣାରେ ଏଥର ବି ଭାଗ୍ୟ ପରୀକ୍ଷା କରିବେ ନିଜ ମାଟିରେ । ଅପରପକ୍ଷେ ବାପା ଭକ୍ତ ଚରଣ ଦାସ ଲୋକସଭା ଛାଡ଼ି ନର୍ଲା ବିଧାନସଭା ଆସନରୁ ଲଢ଼ିବେ ।

ତେବେ ବାପାଙ୍କ ପତିଆରା ବଜାୟ ରଖିବାକୁ କେତେ ସକ୍ଷମ ହେବେ ଏହି ନ୍ୟୁ ଜେନେରେସନ ଏବଂ ରାଜନୀତିରେ ଅନଭିଜ୍ଞ ଏହି ଯୁବନେତାଙ୍କୁ କେତେ ଗ୍ରହଣ କରିବେ ଜନତା, ଜୁନ ୪ରେ ହେବ ସ୍ପଷ୍ଟ ।