• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିକୁ ଭରସା ଆମଦାନୀ ନେତା ! ବିରୋଧୀ ଦଳରୁ ଆସୁଛନ୍ତି, ନେଉଛନ୍ତି ଶାସକ ଦଳରୁ ଟିକେଟ । ଅଂଶୁମାନ ମହାନ୍ତି । କଂଗ୍ରେସ ଟିକେଟରୁ ୨୦୧୯ରେ ଲଢି ରାଜନଗରରୁ ପରାଜିତ ହେଲେ । ଆଉ ଏଥର ବିଜେଡିରେ ସାମିଲ ହୋଇ ହାତେଇଛନ୍ତି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଟିକେଟ । ସେହିପରି ଟିଟିଲାଗଡ଼ର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ସୁରେନ୍ଦ୍ର ସିଂହ ଭୋଇ ମଧ୍ୟ ଶଙ୍ଖ ଧରୁ ଧରୁ ତାଙ୍କୁ ଦଳ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେଇଛି । ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ । ଆଉ ଯୋଗ ଦେଉ ଦେଉ ଦଳ ତାଙ୍କୁ କଟକ ବାରବାଟୀ ଟିକେଟ ଦେଲା ।

ସେହିପରି ଖରିଆରର କଂଗ୍ରେସ୍ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ନିଜ ପଟକୁ ଆଣି, ଖରିଆର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଭୃଗୁ ବକ୍ସିପାତ୍ର ବିଜେପି ଛାଡ଼ିବା ପରେ ଦଳ ତାଙ୍କୁ ଗ୍ରହଣ କରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିଛି । ସେହିପରି ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଶଙ୍ଖ ଶିବିରରେ ଯୋଗ ଦେଇ, ହାତେଇଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଟିକେଟ । ବିଜେପି ବରଗଡ଼ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ଓ ପତ୍ନୀ ପରିଣୀତା ମିଶ୍ର, ବିଜେଡି ଅଫର୍ ଗ୍ରହଣ କରି କ୍ୟାମ୍ପରେ ସାମିଲ୍ ହେବାପରେ ପରିଣୀତାଙ୍କୁ ବରଗଡ଼ ସାଂସଦ ପ୍ରାର୍ଥୀ କରିଛି ଦଳ । ଆଉ ଆଜି ବିଜେପିର ଫାୟାର ବ୍ରାଣ୍ଡ ଲେଡି ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବି ଶଙ୍ଖ ଫୁଙ୍କିଛନ୍ତି । ଏ ଦୁହିଁଙ୍କୁ ବି ଦଳ ଟିକଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏଠି ପ୍ରଶ୍ନ ଉଠୁଛି ବିଜେଡିରେ ମାଳ ମାଳ ଆଶାୟୀ ଥିବାବେଳେ, କାହିଁକି ପୁଣି ଗଦା ଗଦା ପରାଜିତ ନେତାଙ୍କୁ ଆମଦାନୀ କରୁଛି ଦଳ ? ନିଜ ନେତାଙ୍କ ଉପରେ କାହିଁକି ଭରସା କରିପାରୁନି ? ନା ବିରୋଧୀଙ୍କ ବିଜୟ ସମ୍ଭାବନାକୁ ନଜରରେ ରଖି ସେମାନଙ୍କୁ ଆମଦାନୀ କରୁଛି ? ଦୀର୍ଘଦିନ ଧରି ବିଜେଡିରେ ଥିବା ନେତାଙ୍କ ଟିକେଟ କଟିଲେ ବିଦ୍ରୋହ ବଢିବନି ତ ! ବିଜେଡିର ଏଭଳି ରଣନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ଶାସକ ଦଳରେ ଆଉ ବଳ ନ ଥିବାରୁ ବିରୋଧୀଙ୍କୁ ମିଶ୍ରଣ କରି ବଳୀୟାନ ହେବାକୁ ଚେଷ୍ଟା କରୁଛି ଦଳ । ମାତ୍ର ବିଜେଡିର ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଆକର୍ଷିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି ବିରୋଧୀ ଦଳର ନେତା । ରାଜନୈତିକ ସମୀକ୍ଷକଙ୍କ ମତ ମାତ୍ରାଧିକ ବିଜେଡିର ମିଶ୍ରଣ ପର୍ବ ଦଳ ପାଇଁ ବୁମେରାଂ ହୋଇପାରେ ।

ଜଣକ ପରେ ଜଣେ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେଉଛନ୍ତି । ତା ସହ ଦଳରେ ବଢୁଛି ବିଦ୍ରୋହ । ତେବେ ଟିକେଟ ଅସନ୍ତୋଷକୁ ଦଳ କିପରି ପ୍ରଶମିତ କରୁଛି ତା ଉପରେ ନଜର ।

  • Reported by:
  • JAGDISH DAS , SOUMYA RANJAN SAHOO