• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧଳାସୁନାର ଇଲାକାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗତକାଲିର ପ୍ରତିଶ୍ରୁତି ପଶ୍ଚିମ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି କଂପନ । ସୋନପୁର ସଭାରେ ନିଜ ଅଭିଭାଷଣରେ ଶାହା ସିଧା ସିଧା ରାଜ୍ୟ ସରକାରଙ୍କୁ ନିଶାନା କରି କହିଥିଲେ- ଏଠି ସିନା କପା ଅଧିକ ଉତ୍ପାଦନ ହେଉଛି, ହେଲେ କାରଖାନା କିନ୍ତୁ ଅନ୍ୟଠି ବସୁଛି । ତେଣୁ ଭୋଟରଙ୍କୁ ନିବେଦନ କରିଥିଲେ, ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରଙ୍କୁ କ୍ଷମତାକୁ ଆଣିଲେ, ଏ ଅଞ୍ଚଳରେ ଟେକ୍ସଟାଇଲ୍ ମିଲ୍ ବସିବ, ହଜାର ହଜାର କପା ଚାଷୀଙ୍କ ଭାଗ୍ୟ ବଦଳିବ ।

ତେବେ ଚର୍ଚ୍ଚା, ସୋନପୁର ନିର୍ବାଚନୀ ସଭାରେ ଶାହ ଦେଇଥିବା ଏତେ ବଡ଼ ପ୍ରତିଶ୍ରୁତି ପଛର ବାସ୍ତବତା କେତେ ? ଗ୍ରାଉଣ୍ଡ ଜିରୋରୁ ବି ଆସିଛି ଚିତ୍ର । ବଲାଙ୍ଗିର ସହରରୁ ପାଟଣାଗଡ ଯିବା ରାସ୍ତାରେ ପଡ଼େ ବିସ୍ତୀର୍ଣ୍ଣ କପା କ୍ଷେତର ଚିତ୍ର । ଫଳକ ବି ଲାଗିଛି-ଧଳାସୁନାର ଅଂଚଳ । ବିଶ୍ୱସ୍ତରୀୟ କପା ଏଇଠୁ ଉତ୍ପାଦନ ହେଉଥିବାରୁ ଏମିତି ନାଁ ।

ରାଜ୍ୟ ସରକାରଙ୍କ କୃଷି ବିଭାଗ ବି କହୁଛି- ୨୦୨୩-୨୪ ମସିହାରେ ଏଠି ୬୨ ହଜାର ୩ଶହ ହେକ୍ଟର ଜମିରେ କପା ଚାଷ ଟାର୍ଗେଟ ଥିବା ବେଳେ, ଚାଷ ହୋଇଥିଲା ପାଖାପାଖି ୭୧ ହଜାର ହେକ୍ଟର ଜମିରେ । ଅମଳ ହୋଇଥିଲା ୮ ଲକ୍ଷ ୧୫ ହଜାର କ୍ୱିଣ୍ଟାଲ । ତେଣୁ ଆସନ୍ତା ୨୦୨୪-୨୫ କୃଷି ବର୍ଷରେ ୭୨ ହଜାର ହେକ୍ଟର ଜମିରେ କପାଚାଷ ପାଇଁ ଟାର୍ଗେଟ ରଖାଯାଇଛି । ହେଲେ ସରକାରୀ ତଥ୍ୟଠୁ ଢେର ଅଧିକ ଜମିରେ କପା ହୁଏ ଓ ଏଠି ଟେକ୍ସଟାଇଲ ମିଲଟିଏ ନ ଥିବାରୁ ଦଲାଲ ହାବୁଡରେ ପଡ଼ି ଚାଷୀ ଅଭାବୀ ବିକ୍ରୀର ଶିକାର ହୁଏ । ଏମିତିକି ଖୋଦ୍ ଜିଲ୍ଲା କପା ଚାଷ ଅଧିକାରୀ ବି ଏକଥା ମାନିଛନ୍ତି ।

ବଲାଙ୍ଗିର ଜିଲ୍ଳା କଣ୍ଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ମୁରିବାହାଲ, ତୁରେକେଲା ଓ ବଂଗୋମୁଣ୍ଡା ବ୍ଳକରେ ପ୍ରଚୁର ପରିମାଣର କପା ଚାଷ ହୋଇଥାଏ । ହେଲେ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳୁ ନ ଥିବାରୁ ଏଇ ତିନି ବ୍ଲକରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ଘରଦ୍ୱାର ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟି ଯାଆନ୍ତି। ଗତ ଜାନୁୟାରୀ ୩ ତାରିଖ, ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ଏ ପ୍ରସଙ୍ଗ ଉଠାଇ କପାଚାଷୀଙ୍କ ପାଇଁ ଏଠି ଟେକ୍ସଟାଇଲ ମିଲ ସ୍ଥାପନ ପରିବର୍ତ୍ତେ ଖୋର୍ଦ୍ଧାରେ କାହିଁକି ବସା ଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଆଉ ଏବେ ସେଇ ଧଳାସୁନାର ଅଂଚଳ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥି ସନ୍ତୋଷ ସିଂ ସାଲୁଜା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଥିବାବେଳେ ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ ଭୋଟ୍ ବେଳେ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି ।

  • Reported by:
  • MANARANJAN JOSHI