Advertisment

BJDକୁ କଣ୍ଟା ଜଗତସିଂହପୁର ସଂସଦୀୟ କ୍ଷେତ୍ର, କାହାକୁ ଧରି ପ୍ରଚାର କରିବେ ରାଜଶ୍ରୀ ?

ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, Jagatsinghpur BJD

ବିଜେଡି ପାଇଁ ଜଗତସିଂହପୁର କଣ୍ଟା। ସଂସଦୀୟ କ୍ଷେତ୍ରରେ ଗୋଷ୍ଠୀ କନ୍ଦଳ ତୀବ୍ରରେ । ଅଡୁଆ ବଢୁଛି, ହେଲେ ଅଙ୍କ ଛିଡୁନି। ଏବେବି ଝୁଲି ରହିଛି ବାଲିକୁଦା ଏରସମା ଓ କାକଟପୁର ନିର୍ବାଚନ ମଣ୍ଡଳୀ ଟିକେଟ। ଆଉ ନିମାପଡାରେ ତ ବିଧାୟକଙ୍କ ସମୀର ଦାଶଙ୍କ ଟିକେଟ କଟିବା ପରେ ସ୍ଥିତି ପୁରା ସଙ୍ଗୀନ। ଗତକାଲି ସମୀର ଦାଶଙ୍କ ନିମାପଡା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍‌କା ।

Advertisment

ଚର୍ଚ୍ଚା ହେଉଛି ଟିକେଟ ବଦଳାଇ ସମୀରଙ୍କୁ ଟିକେଟ ନଦେଲେ ବିଜେଡି ନିମାପଡ଼ାରେ ଘାଟାରେ ରହିପାରେ। ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବାଚନ ମଣ୍ଡଳୀ କାକଟପୁରରେ ବି ଏଯାଏ ଦଳ ପ୍ରାର୍ଥୀ ଘୋଷଣା କରିନି। ସେଠି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ତୁଷାରକାନ୍ତିଙ୍କ ଭିତରେ ଟଣା ଓଟରା ଲାଗିଛି। ଦଳ ଏଯାଏ ସ୍ଥିର କରିପାରୁନି କାହାକୁ ଦେବ ଟିକେଟ। ବିଦ୍ରୋହର ଆଶଙ୍କା ଥିବାରୁ ଦଳ ଟିକେଟ ପ୍ରକ୍ରିୟାକୁ ବିଳମ୍ବିତ କରୁଛି।

ସେହିପରି ବାଲିକୁଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସ ରେସ୍‌ରେ ଥିବାବେଳେ ତାଙ୍କୁ ଚାଲେଞ୍ଜ ଦେଉଛନ୍ତି ସୌମ୍ୟଜିତ ମହାପାତ୍ର ଓ ସଞ୍ଜୀବ ବିଶ୍ୱାଳଙ୍କ ଭଳି ଯୁବନେତା। ଏପଟେ ରଘୁନନ୍ଦନ ବି ସମର୍ଥକଙ୍କୁ ଧରି ଟିକେଟ ହାତେଇବାକୁ କରିଛନ୍ତି ରଣନୀତି। ଅନ୍ୟପଟେ ଗେମ୍ ଚେଞ୍ଜର ଭୂମିକା ନେଇପାରନ୍ତି କଂଗ୍ରେସରୁ ଆସିଥିବା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ନିକଟରେ କର୍ମୀ ସମ୍ମିଳନୀରେ ଜଗତସିଂହପୁର ଟିକେଟ ନମିଳିବାରୁ ଅସନ୍ତୋଷ ଝାଡିଥିଲେ ଚିରଞ୍ଜୀବ। ଯେଉଁଥିପାଇଁ ତାଙ୍କ ସମର୍ଥନ ମିଳିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ଦଳ କହିଛି ଠିକ୍ ସମୟରେ ସମସ୍ତେ ଏକାଠି ହୋଇ ଦଳକୁ ଜିତାଇବେ।

Advertisment

ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଣି ଏବେ ସମ୍ପୂର୍ଣ୍ଣ ଗୋଳିଆ। ସାସଂଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ସହ ବିଜେଡି ପାଇଁ ବି ଅଡୁଆ ବଢିଛି ସଂସଦୀୟ କ୍ଷେତ୍ରରେ। ନିମାପଡାରେ ଅଭିଜ୍ଞ ସମୀରଙ୍କ ଭୋଟ୍ ଯଦି ବିଜେଡି ହରାଏ ତେବେ ତାହା ବଡ ପ୍ରଭାବ ପକାଇବ। ସେହିପରି କାକଟପୁର ଓ ବାଲିକୁଦା-ଏରସମାରେ ସଠିକ୍ ପ୍ରାର୍ଥୀଙ୍କୁ ଦଳ ଟିକେଟ ନଦିଏ ତେବେ ବିଦ୍ରୋହ ବଢିବ ଓ ଦଳ ପ୍ରତି କ୍ଷତିକାରକ ହୋଇପାରେ। ଜଗତସିଂହପୁର ଗୋଲକ ଧନ୍ଦାରେ ପଡିଛି ବିଜେଡି। କେମିତି ସମୀକରଣ ବସାଇ ସମାଧାନ କରାଯିବ ତାକୁ ନେଇ ଗଣନା ଜାରି ରହିଛି।

BJD BJP Congress Odisha Politics General Election 2024
Advertisment
Advertisment