Advertisment

ଭାଙ୍ଗିଲା ଓଡ଼ିଶା ବିଧାନସଭା, ବିଜ୍ଞପ୍ତି ପ୍ରକାଶ କଲା ସଂସଦୀୟ ବ୍ୟାପାର ବିଭାଗ

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Assembly

Odisha Assembly

ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭା ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍‌ ମଧ୍ୟ ସୁପାରିଶ କରିଥିଲା।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ଶେଷ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବ।

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରନ୍ତି।

Advertisment

ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍ । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୋଲିସ ।

ସେପଟେ ବାରିପଦାରେ କଡ଼ା ସୁରକ୍ଷାରେ ରଖାଯାଇଛି ଇଭିଏମ୍‌ । ତ୍ରିସ୍ତରୀୟ ସୁରକ୍ଷା ସତ୍ତ୍ୱେ ଷ୍ଟ୍ରଙ୍ଗ ରୁମ୍ ବାହାରେ ପାଳି କରି ଜଗୁଛନ୍ତି ପ୍ରାର୍ଥୀ ଏବଂ ସମର୍ଥକ। ମୟୂରଭଞ୍ଜ ଜିଲ୍ଲାର ୧୩ ଲୋକସଭା ପ୍ରାର୍ଥୀ ଏବଂ ୯୦ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ । ବାରିପଦାର ଏମପିସି ଅଟୋନୋମସ୍ କଲେଜ, ବିଇଡି କଲେଜ୍ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି ଇଭିଏମ୍‌ । କଡ଼ା ପୋଲିସ ସୁରକ୍ଷା, ସିସିଟିଭି କ୍ୟାମେରା ନଜରରେ ରହିଛି ଇଭିଏମ୍‌ । ଯେଭଳି କୌଣସି ହେରଫେର୍ ନ ହୁଏ ସେଥିପାଇଁ ପ୍ରାର୍ଥୀ ଓ ସମର୍ଥକ ଜଗି ବସିଛନ୍ତି ।

ସେହିପରି ବ୍ରହ୍ମପୁର ସରକାରୀ ମହିଳା ପଲିଟେକନିକ୍ ଓ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ପରିସରରେ ହୋଇଛି ଷ୍ଟ୍ରଙ୍ଗ ରୁମ୍‌ । ଏଠାରେ ଚିକିଟି, ବ୍ରହ୍ମପୁର, ସାନଖେମୁଣ୍ଡି, ଦିଗପହଣ୍ଡି ଓ ଗୋପାଳପୁର ବିଧାନସଭା ପାଇଁ ୫ଟି ଷ୍ଟ୍ରଙ୍ଗରୁମ୍‌ ହୋଇଛି । ଷ୍ଟ୍ରଙ୍ଗରୁମ୍ ଗୁଡ଼ିକରେ ତାଲା ପଡ଼ିଥିବା ବେଳେ ସିସିଟିଭି ସର୍ଭିଲାନ୍ସ ଓ ସଶସ୍ତ୍ର ପୋଲିସ ବାହିନୀର ନିରୀକ୍ଷଣରେ ରହିଛି । ତାସହ ଦଳୀୟ କର୍ମୀ ବି ବାହାରେ ଡେରା ପକାଇଛନ୍ତି ଯେଭଳି କୌଣସି ହେରଫେର୍ ନ ହୁଏ । ଏଥିପାଇଁ ପାଳି କରି ୮ ଘଣ୍ଟା ଲେଖାଏଁ ଦିନ ରାତି ଜଗି ରହୁଛନ୍ତି କର୍ମୀ । ଏହା ଭିତରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ୫ଟି ଅଞ୍ଚଳର ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନେ ଆସି ତଦାରଖ କରୁଛନ୍ତି ।

Odisha Assembly General Election 2024
Advertisment
Advertisment