• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନିର୍ବାଚନ ଯେତେ ପାଖଉଛି, ବିଜେଡିରେ କନ୍ଦଳ ସେତେ ତେଜୁଛି । କେଉଁଠି ଆଶାୟୀଙ୍କ ପ୍ରତିବାଦ ତ କେଉଁଠି ଆମଦାନୀ ନେତାଙ୍କୁ ବିରୋଧ । କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ କେନ୍ଦ୍ରାପଡ଼ା ବିଜେଡିର ନେତା ଓ କର୍ମୀ । ବିଜେଡି ଟିକଟ୍ ଆମଦାନୀ ନେତାଙ୍କୁ ନ ଦେଇ ଦଳର ନେତାଙ୍କୁ ଦେବାକୁ ଦାବି ଉଠିଥିଲା । ସିଧାସଳଖ ଗଣେଶ୍ୱର ବେହେରାଙ୍କୁ ଦଳରେ ସାମିଲକୁ ବିରୋଧ କରିଥିଲେ । ତା ସତ୍ତ୍ୱେ ବି ଆଜି ଭୁବନେଶ୍ୱରରେ ଗଣେଶ୍ୱରଙ୍କୁ ଦଳ ସାମିଲ କରିଛି । ଚର୍ଚ୍ଚା ହେଉଛି ଏବେ ବିବାଦ ଅଧିକ ତେଜିଥିବା ବେଳେ ଆଗକୁ ବୁମେରାଂ ହୋଇପାରେ ।

ଅନ୍ୟପଟେ ବରୀରୁ କେବଳ ସୁନନ୍ଦା ଦାସଙ୍କୁ ଟିକେଟ ଦେବାକୁ ଦାବି କରିଛନ୍ତି ସୁନନ୍ଦାଙ୍କ ସମର୍ଥକ । ଆଜି ଭୁବନେଶ୍ୱରସ୍ଥିତ ବିଧାୟିକାଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ୩୨ ସରପଞ୍ଚ ଓ ୩୧ ସମିତି ସଭ୍ୟ ଟିକେଟ ଦାବି କରିଥିଲେ । ଚର୍ଚ୍ଚା ହେଉଛି ବିଶ୍ୱ ମଲ୍ଲିକ ସେଠୁ ବିଜେଡି ଟିକେଟ ପାଇଁ ଲବିରେ ଆଗରେ ଅଛନ୍ତି । ଏହା ସହ ସୁନନ୍ଦା ମଧ୍ୟ ବରୀରେ ନିଜ ସଙ୍ଗଠନ ନେଇ ଆଗକୁ ବଢୁଥିବା ବେଳେ ବିଶ୍ୱଙ୍କର ରହିଛି ସମାନ୍ତରଳ ସଙ୍ଗଠନ । ଏଠୁ ଦଳ ଜଣଙ୍କୁ ଟିକେଟ ଦେଇ ଆଉ ଜଣଙ୍କୁ ମ୍ୟାନେଜ୍ କରିବା କାଠିକର ପାଠ ହୋଇପାରେ ।

ଏହା ବାଦ୍ ବିଜେଡି ପାଇଁ ସବୁଠୁ ମୁଣ୍ଡ ବିନ୍ଧାର କାରଣ ସାଜିଛି ଭୁବନେଶ୍ୱର ମଧ୍ୟ ଆସନ। ଏଠି ଦିନ୍ ବିଦ୍ରୋହୀ କରୁଛନ୍ତି ଶକ୍ତି ପ୍ରଦର୍ଶନ । ଅନନ୍ତ-ଅମରେଶ- ରୁଦ୍ର । ଆଜି ବି ପୁଣି ଥରେ ଟିକେଟ ପାଇଁ ପାୱାର ସୋ କରିଛନ୍ତି ଅନନ୍ତ ଜେନା । ଲକ୍ଷ୍ମୀସାଗର ମେଲଣ ପଡ଼ିଆରେ ସଭା କରି ବିଦ୍ରୋହୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେପଟେ ସମାନ୍ତରାଳ ଭାବେ କର୍ମୀ ସମ୍ମିଳନୀ କରି ଆଜି ପୁଣି ଅନନ୍ତଙ୍କୁ ଚାଲେଞ୍ଜ ଦେଇଛନ୍ତି ଅମରେଶ । ବଡ଼ କଥା ହେଲା ଅନନ୍ତକୁ ହଟାଇବାକୁ ହାତ ମିଳାଇଛନ୍ତି ୨ ବିଦ୍ରୋହୀ ଅମରେଶ ଆଉ ରୁଦ୍ର । ଏମିତି ସ୍ଥିତିରେ ଦଳ ଏଠୁ କାହାକୁ ପ୍ରାର୍ଥୀ କରିବ କାହାକୁ ମ୍ୟାନେଜ କରିବ ଏକ ପ୍ରକାର ଅସହାୟ ହୋଇଯାଇଛି । ସେପଟେ ରାଉରକେଲା ବୀରମିତ୍ରପୁରରେ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ୍ ତିର୍କୀଙ୍କୁ ଦଳ ଟିକେଟ ଦେଇଥିବାରୁ ଦଳ ଛାଡ଼ିଛନ୍ତି ଶତାଧିକ କର୍ମୀ । ବୀରମିତ୍ରପୁର ପୂର୍ବତନ ବିଧାୟକ ନିହାର ସୁରିନ ବି ଦଳ ଛାଡ଼ିଛନ୍ତି ।

୨୪ ନିର୍ବାଚନରେ ବିରୋଧୀଙ୍କ ଅପେକ୍ଷା ବିଦ୍ରୋହୀଙ୍କୁ ନେଇ ଅଧିକ ଟେନସନରେ ବିଜେଡି । ଆଉ ଏହି କ୍ରାଇସିସକୁ ମ୍ୟାନେଜ କରିବାରେ ବିଫଳ ହେବାରୁ ଅନେକ ନେତା ଦଳ ଛାଡ଼ି ସାରିଛନ୍ତି । ସୋର ବିଧାୟକ ପର୍ଶୁରାମ ଧଡା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ଜଗତସିଂହପୁରର ଅମରେନ୍ଦ୍ର ଦାସ, ଭଦ୍ରକର ଅସିତ ପଟ୍ଟନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର ଭଳି ନେତା ବିଜେଡିକୁ ବାୟ ବାୟ କରିଛନ୍ତି।