• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ । କିନ୍ତୁ ଏହାକୁ ଯଥାଯଥ ପ୍ରମାଣିତ କରିବା ପାଇଁ ନିର୍ବାଚନୀ ମୈଦାନରେ ବଳ ଖଟାଉଛନ୍ତି, ଛାଇ ଭଳି ଲାଗି ରହି ନେତା ପୁଅଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବାପା ।

ପୁଅଙ୍କ ପାଇଁ ଚାଲିଛି ବାପାଙ୍କ ପ୍ରଚାର, ଜିତାଇବାକୁ ଲଗେଇଛନ୍ତି ସବୁ କଳ-ବଳ-କୌଶଳ । କଂଗ୍ରେସ ଭେଟେରାନ୍ ନରସିଂହ, ବଲାଙ୍ଗିର ବିଧାନସଭା ଆସନରେ ପୁଅ ସମରେନ୍ଦ୍ରଙ୍କୁ ଜିତେଇବାକୁ ଜନତା ଜନାର୍ଦ୍ଦନଙ୍କ ପାଖେ କରୁଛନ୍ତି ଗୁହାରୀ । ଖାଲି ଏତିକି ନୁହେଁ ସହରଠୁ ଗାଁ ପ୍ରତି ସଭାସମିତିରେ ପୁଅ ସହିତ ଛାଇ ଭଳିଆ ରହି ସମରେନ୍ଦ୍ରଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନରସିଂହ ।

ଗତଥର ବଲାଙ୍ଗିରରୁ ସାଂସଦ ପ୍ରାର୍ଥୀ ଭାବେ ଲଢିଥିଲେ ବି ଏଥରକ ବାପା ଠିଆ ନହେବାରୁ ତାଙ୍କ ବିଧାନସଭା ସିଟରୁ ଲଢୁଥିବା ପୁଅ ସମରେନ୍ଦ୍ର ବି କହିଛନ୍ତି ବିଜେଡି ନବୀନ ଓ ବିଜେପି ମୋଦିଙ୍କ ନାଁରେ ଭୋଟ ମାଗୁଥିବ ବେଳେ, ମୁଁ ମୋ ବାପାଙ୍କ ନାଁରେ ଭୋଟ ମାଗୁଛି । ଅନ୍ୟପଟେ ସେଇ ବଲାଙ୍ଗିର ବିଧାନସଭା ଆସନରେ ବିଜେଡିରୁ ଏଥର ପ୍ରାର୍ଥୀ ହୋଇଥିବା ପୁଅ କଳିକେଶ ନାରାୟଣ ସିଂଦେଓଙ୍କ ପାଇଁ ଦିନରାତି ପ୍ରଚାରରେ ଝାଳ ବୁହାଉଛନ୍ତି ବାପା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ।

କେତେବେଳେ ଜନତାଙ୍କ ଆଶୀର୍ବାଦ ମାଗୁଛନ୍ତି ତ ଆଉ କେତେବେଳେ ଦେବଦେବୀ ମନ୍ଦିର ଯାଇ ପୂଜା କରି ପୁଅ ପାଇଁ ବିଜୟ ଆଶିଷ କାମନା କରୁଛନ୍ତି । ଆଗେ ଆଗେ ପୁଅ, ପଛେ ପଛେ ବାପା...ଖରାକୁ ଖାତର ନକରି ସାହି ସାହି ବୁଲି, ସଭାସମିତି କରି ପୁଅ ପାଇଁ ସମର୍ଥନ ଲୋଡୁଛନ୍ତି ଅନଙ୍ଗ ।

ନୂଆପଡ଼ା ନିର୍ବାଚନ କ୍ଷେତ୍ରରେ ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ଅଭିନନ୍ଦନଙ୍କ ପାଇଁ ଧୂଆଁଧାର ପ୍ରଚାର ଚଳେଇଛନ୍ତି ବାପା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ପୁଅ ସହ ସଭା ଶୋଭାଯାତ୍ରା କରି ଭୋଟ୍ ମାଗୁଛନ୍ତି ବସନ୍ତ । ସେମିତି ବୀରମିତ୍ରପୁରରୁ ଶାସକ ଦଳ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପୁଅ ରୋହିତ ଯୋଶେଫ୍ ତିର୍କୀଙ୍କ ପାଇଁ ମୈଦାନରେ ପୁରା ଦମ ଲଗେଇ ଦେଇଛନ୍ତି ବାପା ଜର୍ଜ ତିର୍କୀ ।

ସେହିପରି ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବି ବିଜେଡିରୁ ପୁଅ ଅନୀଲ ବରୁଆଙ୍କ ପାଇଁ ଗାଁ ଗହଳିରେ ଶୋଭାଯାତ୍ରା, ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରି ଭୋଟ୍ ମାଗୁଛନ୍ତି ବାପା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ୍ । ୨୪ ମହାଲଢ଼େଇରେ ବାପାଙ୍କ ଛତ୍ରଛାୟାରେ, ନିର୍ବାଚନ ଲଢୁଥିବା ନେତାପୁଅ ମାନେ କେତେ ସଫଳ ହେଉଛନ୍ତି, ବାପାଙ୍କ ବଦଳି ପୁଅମାନଙ୍କୁ ଜନତା କେତେ ଭରସା କରୁଛନ୍ତି ଏବେ ତା ଉପରେ ନଜର ।