• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୨୪ ମହାସଂଗ୍ରାମର ସମୀକରଣ ବଦଳାଇବାକୁ ବିଜେପି ଫୋକସରେ ଓଡ଼ିଶାର ଚାଷୀ । ରାଜ୍ୟ ବିଜେପିର ଇସ୍ତାହାର ପରେ ନିର୍ବାଚନୀ ସଭାରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଷୀ ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ । କାରଣ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ବିଜେପି ଅନୁରୂପ ପ୍ରତିଶ୍ରୁତି ଦେଇ ପରେ ତାକୁ ଅକ୍ଷରେ ଅକ୍ଷରେ ପାଳିଥିବାରୁ ମୋଦିଙ୍କ ଏ ଘୋଷଣା ଉପରେ ଚାଷୀଙ୍କ ଭରସା ବଢ଼ିଛି । ହେଲେ ଏହାକୁ ନେଇ ତେଜିଛି ରାଜନୀତି । ବିରୋଧୀ ଏହାକୁ କେବଳ ନିର୍ବାଚନୀ ଥୋପ ବୋଲି କହିଥିଲା ବେଳେବିଜେପି କହିଛି ମୋଦିଙ୍କ ଏ ଘୋଷଣା ବିରୋଧୀଙ୍କ ହୋସ୍ ଉଡ଼ାଇ ଦେଇଛି ।

ଡବଲ ହେବ ଧାନର ମୂଲ୍ୟ । ୩୧ ଶହ ଟଙ୍କାରେ ଚାଷୀ ବିକିବେ ଧାନ । ପଶ୍ଚିମଓଡ଼ିଶାର ବଲାଙ୍ଗୀର ଓ ବରଗଡ ସଭାରେ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ଏ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା । ରାଜ୍ୟରେ ଗେମ୍ ଚେଞ୍ଜର୍ ହୋଇପାରେ ବିଜେପିର ଏମ୍ଏସଏପି ପ୍ରତିଶ୍ରୁତି । ଚାଷୀ ପାଇଁ ବିଜେପି ଇସ୍ତାହାରରେ ଏମ୍ଏସପି ବୃଦ୍ଧିର ଉଲ୍ଲେଖ ପରେ ନିର୍ବାଚନୀ ସଭାରେ ମୋଦି ବି କହିଛନ୍ତି, ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ଚାଷୀ ପାଇବେ ଧାନର ଟଙ୍କା । ମଣ୍ଡିରେ କଟନି ଛଟନିର ବି ମୁକ୍ତି ମିଳିବ, ଧାନର ପ୍ରକୃତ ମୂଲ୍ୟ ସିଧା ଚାଷୀ ଖାତାରେ ଚଢ଼ିବା ନେଇ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ସେତିକି ନୁହେଁ ଚାଷର ବିକାଶ ପାଇଁ ପାଞ୍ଚ ବର୍ଷରେ ରାଜ୍ୟରେ ଜଳସେଚନ ସୁବିଧାକୁ ତିନିଗୁଣା କରାଯିବା ନେଇ ରାଜ୍ୟ ବିଜେପିର ଇସ୍ତାହାର ଚାଷୀଙ୍କୁ ସଶକ୍ତ କରିବ ବୋଲି ମୋଦି କହିଛନ୍ତି । ପଡ଼ୋଶୀ ଛତିଶଗଡ଼ର ଉଦାହରଣ ଦେଇ, ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀକୂଳ ହସିବ ବୋଲି ମୋଦିଙ୍କ ଭରସା ପରେ ଉତ୍ସାହିତ ଚାଷୀ। କାରଣ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କରି ଦେଖାଇଥିବାରୁ, ଓଡ଼ିଶାରେ ବି ମୋଦିଙ୍କ ଏ ଘୋଷଣାରେ ବଢ଼ିଛି ଚାଷୀଙ୍କ ଭରସା ।

ଏଥିସହ ବିଜେପି ସରକାରକୁ ଆସିଲେ ସାର ଦାମ୍ କମାଇବାକୁ ଇସ୍ତାହାରରେ ଉଲ୍ଲେଖ କରିଛି । ଯେଉଁ ସାରକୁ ଚାଷୀ ୩ ହଜାର ଟଙ୍କାରେ କିଣୁଛି ତାହା ବିଜେପି ସରକାରରେ ୩ ଶହ ଟଙ୍କାରେ ମିଳିବ । ସେପଟେ ମୋଦିଙ୍କ ଚାଷୀଙ୍କୁ ଗ୍ୟାରେଣ୍ଟି ପରେ ଉଷ୍ମ ହୋଇଛି ରାଜନୀତି। ବିଜେଡି ଏହାକୁ କାଉଣ୍ଟର କରି କହିଛି ଇଏ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଭେଳିକି । ସେହିପରି କଂଗ୍ରେସ ମୋଦିଙ୍କର ଏହା ମିଥ୍ୟା ପ୍ରତିଶ୍ରୁତି ବୋଲି କହିଛି । ହେଲେ ବିଜେପିର କହିବା କଥା ମୋଦିଙ୍କ ଘୋଷଣା ବିଜେଡି ଓ କଂଗ୍ରେସର ହୋସ୍ ଉଡ଼ାଇ ଦେଇଛି । ରାଜନୀତିର ପଶାପାଲିରେ ଚାଷୀ। ତେବେ ମୋଦିଙ୍କ ଚାଷୀ ପାଇଁ ଗ୍ୟାରେଣ୍ଟି କେତେ ସଫଳତା ଆଣୁଛି ତା ଉପରେ ନଜର ।

  • Reported by:
  • JAGDISH DAS , Somesh Chandra Mohanty , Bhagirathi Sahu

OTV is now on Whatsapp

Join and get latest news update delivered to you via whatsapp

Join Now