• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଢ଼ୁଛି ବିଜେପିର ବଳ । ଆଜି ବିଜେପିରେ ସାମିଲ ହୋଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ପ୍ରଭାସ । ବରଗଡ଼ ଆସନରୁ ଚଳିତ ଥର ଟିକେଟ୍‌ ନ ଦେବାରୁ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଥିଲେ । ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରଭାସ ।

୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ । ତେବେ ଗତଥର ତାଙ୍କୁ ବିଜେଡି ଟିକେଟ୍‌ ଦେଇ ନ ଥିଲା । ପ୍ରଭାସଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି । ତେବେ ୨୦୧୯ ନିର୍ବାଚନରେ ପ୍ରସନ୍ନଙ୍କୁ ପ୍ରଭାସ ସହଯୋଗ କରିବା ସତ୍ତ୍ୱେ ମଧ୍ୟ ସେ ପରାଜୟ ବରଣ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ସେ ସାଂସଦ ଟିକେଟ୍‌ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକଟ ନ ଦେଇ ପରିଣୀତା ମିଶ୍ରଙ୍କୁ ପ୍ରାର୍ଥୀ କରିବାରୁ ବିଜେଡି ଛାଡ଼ିଥିବା କହିଥିଲେ ପ୍ରଭାସ ସିଂ ।

ଅଧିକ ପଢ଼ନ୍ତୁ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ ଦଳ ଛାଡ଼ିବା ପରେ ପ୍ରତିକ୍ରିୟା ରଖିଥିଲା ବିଜେଡି । ପ୍ରଭାସ ଦଳ ଛାଡ଼ିବା ଦ୍ୱାରା କିଛି ପ୍ରଭାବ ପଡ଼ିବନି । ବିଦ୍ରୋହ ଯେତେ କଲେ ବି ସଫଳ ହେବେନି । ଯେଉଁମାନେ କାମ କରନ୍ତିନି ସେମାନଙ୍କୁ ନବୀନ ପଟ୍ଟନାୟକ ଟିକେଟ ଦିଅନ୍ତନି ବୋଲି କଣ୍ଟାମାଳ ବିଧାୟକ ମହୀଧରଣ ରଣା କହିଛନ୍ତି ।

ସୂଚନା ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ପ୍ରଭାସ ସିଂଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତେବେ ୨୦୧୪ରେ ସେ ବିଜେପି ପ୍ରାର୍ଥୀ ସୁବାସ ଚୌହାନଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ । ତେବେ ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ଆସନ ପାଇଁ ବିଜେଡି ପରିଣୀତା ମିଶ୍ରଙ୍କୁ ଟିକେଟ୍ ଦେଇଥିବାବେଳେ ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ପୁଣି ଥରେ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି ।