• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା ଆସନ ଗୁଣୁପୁର, ବିଷମ କଟକ ଓ ରାୟଗଡ଼ା ଭଳି ୭ଟି ବିଧାନସଭା ଆସନକୁ ନେଇ ଗଠିତ କୋରାପୁଟ ସଂସଦୀୟ କ୍ଷେତ୍ର । ୨୦୨୯ରେ ରାଜ୍ୟର ୨୧ ଲୋକସଭା ଆସନରୁ ଇଏ ଗୋଟିଏ ମାତ୍ର ସିଟ୍ ଯେଉଁଠି ବିଜୟୀ ହୋଇ କଂଗ୍ରେସ ଦଳର ମହତ ରଖିଥିଲେ ସପ୍ତଗିରି ଉଲ୍ଲାକା । ଗତଥରର ସପ୍ତଗିରିଙ୍କ ଏ ସଫଳତା ପାଇଁ ଏଥର ବି ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଗତଥରର ନିର୍ବାଚନ ଲଢି ଅଳ୍ପ ଭୋଟରେ ହାରି ଯାଇଥିବା କୌଶଲ୍ୟା ହିକକା । ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ଗତଥର ସପ୍ତଗିରିଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୩ ହଜାର ୬୧୩ ଭୋଟରେ ହାରି ଯାଇଥିଲେ । ସେହିଭଳି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଦିବାସୀ ମୋର୍ଚ୍ଚାର ଜାତୀୟ ସାଧାରଣ ସଂପାଦକ କାଳୀରାମ ମାଝୀ ।

ତାଙ୍କର ଆଗରୁ ବିଧାୟକ ଭାବେ ଲଢିବାର ଅଭିଜ୍ଞତା ଥିଲେ ବି ସେ ଏଥର ପ୍ରଥମ ଥର ପାଇଁ କୋରାପୁଟ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । କୋରାପୁଟ ଲୋକସଭା ଆସନ, କଂଗ୍ରେସର ଗଡ଼ ଭାବେ ପରିଚିତ । ୧୯୫୭ରେ ଏହି ସଂସଦୀୟ କ୍ଷେତ୍ର ଗଠନ ପରଠାରୁ ଏଠାରେ କଂଗ୍ରେସ ଜିତି ଆସୁଥିଲା । ତେବେ ୨୦୦୯ରେ ଆସିଥିଲା ପରିବର୍ତ୍ତନ ।

୨୦୦୯ ଏବଂ ୨୦୧୪ରେ ଲଗାତାର ଭାବେ ଦୁଇ ଥର ବିଜେଡି ଏ ଆସନରୁ ବିଜୟୀ ହୋଇଥିଲା । ୨୦୦୯ରେ ବିଜେଡି ପକ୍ଷରୁ ବିଜୟୀ ହୋଇଥିଲେ ଜୟରାମ ପାଙ୍ଗୀ । ସେହିପରି ୨୦୧୪ରେ ବିଜେଡି ପକ୍ଷରୁ ଝିନ ହିକକା ଏହି ଆସନରୁ ଜିତି ସାଂସଦ ହୋଇଥିଲେ । ତେବେ ୨୦୧୯ରେ ପୁଣି ବାଜି ମାରିଥିଲା କଂଗ୍ରେସ ।

କଂଗ୍ରେସର ସପ୍ତଗିରି ଉଲାକା ଏହି ଆସନରୁ ବିଜୟୀ ହୋଇଥିଲେ । କଂଗ୍ରେସର ଭେଟେରାନ ଲିଡର ଗିରିଧର ଗମାଙ୍ଗ ଏହି ଆସନରୁ ୯ ଥର ଜିତି ସାଂସଦ ହୋଇଛନ୍ତି । ତାଙ୍କ ପତ୍ନୀ ହେମା ଗମାଙ୍ଗ ମଧ୍ୟ ଏହି ଆସନରୁ ୧୯୯୯ରେ ଜିତି ସାଂସଦ ହୋଇଥିଲେ । କଂଗ୍ରେସର ରାମଚନ୍ଦ୍ର ଉଲାକା ଏହି ଆସନରୁ ଦୁଇ ଥର ବିଜୟୀ ହୋଇଥିବା ବେଳେ ଟି. ସାଙ୍ଗାନା ଓ ଜଗନ୍ନାଥ ରାଓ ଏହି ଆସନରୁ ଥରେ ଲେଖାଏଁ ଜିତି ସାଂସଦ ହୋଇଥିଲେ । ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ହେଉଛନ୍ତି କୋରାପୁଟର ପୂର୍ବତନ ସାଂସଦ, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଝିନ ହିକକାଙ୍କ ପତ୍ନୀ । ଆଗରୁ ସେ ଶିକ୍ଷୟିତ୍ରୀ ଥିଲେ । ୨୦୧୯ ନିର୍ବାଚନ ଆଗରୁ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ।

ଗତଥର ଦଳ ତାଙ୍କୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ତେବେ କଂଗ୍ରେସର ସପ୍ତଗିରି ଉଲାକାଙ୍କୁ କଡ଼ା ଟକ୍କର ଦେଇ ହାରି ଯାଇଥିଲେ କୌଶଲ୍ୟା । କୌଶଲ୍ୟାଙ୍କୁ ମିଳିଥିଲା ୩ ଲକ୍ଷ ୬୭ ହଜାର ୫୧୬ ଭୋଟ୍ । ତାଙ୍କ ପରାଜୟର ବ୍ୟବଧାନ ଥିଲା ମାତ୍ର ୩ ହଜାର ୬୧୩ ଭୋଟ୍ । ଲୋକସଭା ନିର୍ବାଚନରେ ଏତେ କମ୍ ଭୋଟରେ ନିର୍ବାଚନ ହାରିବାକୁ ନେଇ ଚର୍ଚ୍ଚା ହୋଇଥିଲା ।

କୌଶଲ୍ୟାଙ୍କ ଏ ସଫଳତା ପାଇଁ ବିଜେଡି ତାଙ୍କୁ ଏଥର ବି ସୁଯୋଗ ଦେଇଛି । ତେଣୁ ଏଥର ସେ ନିଶ୍ଚିତ ବିଜୟ ଆଶାରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କାଳୀରାମ ମାଝୀ । ସେ ଜଣେ ଉଚ୍ଚ ଶିକ୍ଷିତ ନେତା । ବହୁ ଦିନ ଧରି ସେ ବିଜେପିରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ରାୟଗଡା ଜିଲ୍ଲା ବିଜେପି ସଭାପତି ସମେତ ଦଳର ଅନ୍ୟ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

୨୦୦୯ ଏବଂ ୨୦୧୪ରେ ସେ ରାୟଗଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ଉଭୟ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ବିଜେପି ST ମୋର୍ଚ୍ଚାର ଜାତୀୟ ସାଧାରଣ ସଂପାଦକ ଥିବା କାଳୀରାମ ଦଳର ତୃଣମୂଳ ସ୍ତରରେ କାମ କରିଥିବାରୁ ପୁରସ୍କାର ସ୍ୱରୂପ ବିଜେପି ତାଙ୍କୁ ଦେଇଛି ଟିକଟ । ପ୍ରଥମ ଥର କୋରାପୁଟ ଲୋକସଭା ଆସନରୁ ଲଢିବେ କାଳୀରାମ ମାଝୀ ।

ଜଣେ ଉଚ୍ଚ ଶିକ୍ଷିତ ରାଜନେତା ଭାବେ ପରିଚିତ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା । ରାଜନୀତି ପରିବାରରୁ ସେ ଆସିଛନ୍ତି । ବାପା ରାମଚନ୍ଦ୍ର ଉଲାକା କୋରାପୁଟର ପୂର୍ବତନ ସାଂସଦ ତଥା ଜଣାଶୁଣା ନେତା । ରାଜନୀତିକୁ ଆସିବା ପୂର୍ବରୁ ପେସାରେ ସଫ୍ଟୱେର ଇଂଜିନିୟର ଥିଲେ ସପ୍ତଗିରି । କର୍ପୋରେଟ ଚାକିରି ଛାଡ଼ି ୨୦୧୯ରେ ସେ ରାଜନୀତି ମୈଦାନକୁ ଡିଆଁ ମାରିଥିଲେ ।

ପ୍ରଥମ ପଦାର୍ପଣରେ କଂଗ୍ରେସରୁ ଏମପି ଟିକଟ ପାଇବା ସହ ଡେବ୍ୟୁ ମ୍ୟାଚରେ ଦଳକୁ ଜିତାଇ ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇଥିଲେ ସପ୍ତଗିରି । ୨୦୧୯ରେ କଂଗ୍ରେସକୁ କୋରାପୁଟରୁ ଜିତି ରାଜ୍ୟ ତଥା ଦେଶରେ କଂଗ୍ରେସର ସମ୍ମାନ ରକ୍ଷା କରିଥିଲେ । ଅନେକ ଥର ଦିଲ୍ଲୀ ଦରବାରରେ ସେ ରାଜ୍ୟର, କୋରାପୁଟର କଥା ଉଠାଇଛନ୍ତି । ସଂସଦରେ ସେ କହିବାର ଦେଖାଯାଇଛି ।

ପାର୍ଟିର ଦିଲ୍ଲୀ ଦରବାରରେ ବି ତାଙ୍କ କାଟତି ଥିବା କୁହାଯାଏ । ଛତିଶଗଡ଼ର ପ୍ରଭାରୀ ବି ଅଛନ୍ତି ସପ୍ତଗିରି । ସେ ଦୃଷ୍ଟିରୁ ଦଳ ତାଙ୍କୁ ପୁଣି ସୁଯୋଗ ଦେଇଥିବା କୁହାଯାଏ । ସପ୍ତଗିରି ଏଥର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇଛନ୍ତି । ପ୍ରଥମ ଥର ସଫଳତା ପରେ ଦ୍ୱିତୀୟ ଥର ବି ସଫଳତା ଦୋହରାଇବାକୁ ସେ ବେଶ୍ ଆଶାବାଦୀ ।

ତିନି ପ୍ରାର୍ଥୀଙ୍କ ସାମର୍ଥ୍ୟ ଏବଂ ଦୁର୍ବଳତା ଉପରେ ନଜର ପକାଇଲେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ହେଉଛନ୍ତି ପୂର୍ବତନ ସାଂସଦ ଝିନ ହିକକାଙ୍କ ସ୍ତ୍ରୀ । ସେ ୨୦୧୯ ନିର୍ବାଚନରେ ମଧ୍ୟ ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ଭଲ ଭୋଟ୍ ପାଇଥିଲେ । ଗତ ଥର ନିର୍ବାଚନ ଲଢ଼ିଥିବାରୁ ତାଙ୍କର ଜନସଂପର୍କ ଭଲ ରହିଛି । ତେବେ ଦଳରେ ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ଘାତକ ସାଜିପାରେ ।

ସେହିପରି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କ କଥା ଦେଖିଲେ ସେ ପୂର୍ବରୁ ୨ ଥର ବିଧାନସଭା ନିର୍ବାଚନ ଲଢ଼ିଥିବାରୁ ତାଙ୍କର ମଧ୍ୟ ଭଲ ଜନ ସଂପର୍କ ରହିଛି । ଦଳରେ ମଧ୍ୟ ତାଙ୍କର ଭଲ ଇମେଜ୍ ରହିଛି । ତେବେ ପୂର୍ବରୁ ସେ ଦୁଇ ଥର ବିଧାନସଭା ନିର୍ବାଚନ ଲଢ଼ି ହାରିଛନ୍ତି । ଫଳରେ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା । କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କ କଥା ଦେଖିଲେ ତାଙ୍କର ମଧ୍ୟ ଭଲ ଜନ ସଂପର୍କ ରହିଛି ।

ବାପାଙ୍କର ଭଲ ଇମେଜ୍ ଥିବାରୁ ତାଙ୍କୁ ଫାଇଦା ହୋଇପାରେ । ତେବେ ୨୦୧୪ରେ ସେ ଟିକେଟ୍ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ଟିକେଟ୍ ମିଳିନଥିଲା । ଆଉ ଏବେ ଟିକେଟ୍ ମିଳିଥିଲେ ବି କିଛି କର୍ମୀ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।