• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡି ଛାଡ଼ିଲେ ଆଉ ପ୍ରବଳ ବର୍ଷିଲେ । ସମ୍ବଲପୁର ବିଜେଡିକୁ ଆଜି ଲାଗିଛି ଶକ୍ତ ଝଟକା । ଦଳକୁ ବାଏ ବାଏ କରିଛନ୍ତି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁରରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଯାହା ସମ୍ବଲପୁରର ଗରିମା ନଷ୍ଟ କରିଛି । ତେଣୁ ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଇଥିବା ଆଜି ପ୍ରେସମିଟ୍ କରି କହିଛନ୍ତି ରାସେଶ୍ୱରୀ ।

ସମ୍ବଲପୁରରେ କଣ ନେତା ଅଭାବ ଥିଲା ଯେ ବାହାରୁ ଆଣି ନେତାଙ୍କୁ ଟିକେଟ୍ ଦିଆଗଲା? ଦଳ ଯାହା ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା । ତେଣୁ ବାଧ୍ୟ ହୋଇ କଷ୍ଟ ମନରେ ଦଳ ଛାଡ଼ିଥିବା ସେ କହିଛନ୍ତି । ବିଜେଡି ସମ୍ବଲପୁରରୁ ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେଇଥିଲା। ପରେ ପ୍ରସନ୍ନଙ୍କୁ ବଦଳାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଓହ୍ଲାଇଛି । ସେବେଠୁ ଅସନ୍ତୁଷ୍ଟ ଥିଲେ ରାସେଶ୍ବରୀ ।

ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ା BJD ହୁଲୁସ୍ତୁଲ୍, ଅଣଦେଖା ଅଭିଯୋଗରେ ଦଳ ଛାଡ଼ିଲେ ସାଧାରଣ ସମ୍ପାଦକ

ରାସେଶ୍ୱରୀ ପାଣିଗ୍ରାହୀ ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର । ସମ୍ବଲପୁରରୁ ଟିକେଟ ଆଶାୟୀ ଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀ ଆଶାୟୀ ଥିବା ବେଳେ ଦଳ ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦେଇଛି । ପ୍ରଥମେ ଏହି ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍‌ ଦେଇଥିଲା ।

କିନ୍ତୁ ପ୍ରସନ୍ନ ଅସନ୍ତୁଷ୍ଟ ଥିବା ଜାଣି ସିଟ୍‌ ଅଦଳବଦଳ କରିଥିଲା ବିଜେଡି । ରୋହିତଙ୍କୁ ସମ୍ବଲପୁର ଏବଂ ପ୍ରସନ୍ନଙ୍କୁ ରେଢ଼ାଖୋଲ ଆସନ ପାଇଁ ଟିକେଟ ଦେଇଥିଲା ଦଳ । ରୋହିତଙ୍କୁ ଦଳ ଟିକେଟ୍‌ ଦେବା ପରଠୁ ରାସେଶ୍ୱରୀଙ୍କ ସମର୍ଥକ ଆଉ ଚୁପ ବସିନଥିଲେ । ରାସେଶ୍ୱରୀଙ୍କ ପାଇଁ ଟିକେଟ ଦାବି କରିବା ସହ ତାଙ୍କୁ ଯଦି ଟିକେଟ ନମିଳେ ତାହେଲେ ଭୋଟ ବର୍ଜନ ହେବ ଓ ଅନ୍ୟ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଥିଲେ ।

କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି । ୨୦୧୪ରୁ ୨୦୧୯ ଯାଏଁ ସମ୍ବଲପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତେବେ ୨୦୧୯ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ । ରାସେଶ୍ୱରୀଙ୍କର ସମ୍ବଲପୁରରେ ନିଜସ୍ୱ ସଙ୍ଗଠନ ରହିଛି । ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା କଣ ରହିବ ସେନେଇ ମୁହଁ ଖୋଲିନାହାନ୍ତି ।