• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଶକ୍ତ ଝଟକା । ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ । ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ । ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବିଜେଡି ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିବା ବେଳେ, ଏହା ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବଡ଼ ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି । ପୂର୍ବତନ ବାଚସ୍ପତି ଦିବଂଗତ କିଶୋର ମହାନ୍ତିଙ୍କ ଅନୁଗତ ବିଶ୍ୱନାଥ ନାୟକ ବ୍ରଜରାଜନଗର ପାଇଁ ଟିକେଟ୍ ଆଶାୟୀ ଥିଲେ । ତେବେ ଉପନିର୍ବାଚନରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ।

ଏବେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପୁଣି ଥରେ ଅଳକାଙ୍କୁ ଦଳ ଟିକେଟ୍ ଦେବାରୁ ବିଶ୍ୱନାଥ ଓ ତାଙ୍କ ସମର୍ଥକ ମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । କେବଳ ଝାରସୁଗୁଡ଼ା ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନୁହଁନ୍ତି, ତାଙ୍କ ସହ ବ୍ରଜରାଜନଗର ପୌରପରିଷଦ ପୂର୍ବତନ ଚେୟାରମ୍ୟାନ, ପୂର୍ବତନ କାଉନସିଲର, ଯୁବ ବିଜେଡି ଟାଉନ ସଭାପତି ଓ ଉପସଭାପତିଙ୍କ ସହିତ ଶତାଧିକ ବିଜେଡି କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । ସେପଟେ ବିଶ୍ୱନାଥ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୀମାରାଣୀଙ୍କ ନାଁ ନଥିଲା । ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେଇଛି ବିଜେଡି । ଏହା ପରେ ସୀମାରାଣୀ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ ।