• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା । ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା । ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା ।

ଅନ୍ୟପଟେ କୈଳାସଙ୍କ ଟିକେଟ୍ କଟିବା ପଛରେ ମାଇନ୍ସ ଲବିକୁ ନେଇ ଚର୍ଚ୍ଚା ଜୋର୍ । କୈଳାସ ପଦ୍ମ ଧରିବା ପରେ ବିଜେଡି ପାଇଁ ବଢିଛି କୋରାପୁଟ୍ ଟେନସନ୍ । ଶଙ୍ଖ ଦଳର ତୃତୀୟ ପର୍ଯ୍ୟାୟ ଟିକେଟ୍ ଘୋଷଣା ପରେ ପରେ ଗତକାଲି ବିଳମ୍ବିତ ରାତିରେ ପଦ୍ମଦଳରେ ଏକା ମିଶିଲେ । ଆଜି ଦିନରେ ନିଜ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେପି ଶିବିରରେ ସାମିଲ ହେଉ ହେଉ ବିଜେଡିର ବାରୁଦ ଗଦାରେ ନିଆଁ ଲଗାଇଛନ୍ତି କୁଲେସିକା ।

କୁଲେସିକା କହିଛନ୍ତି- ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବକ ସହ ପ୍ରତାରଣା କରିଛି ବିଜେଡି । ମୋର ବିଜେଡି ଯିବାକୁ ଇଚ୍ଛା ନଥିଲା, ହେଲେ ଜୋର୍ ଜବରଦସ୍ତ ଦଳରେ ମିଶେଇ ଟିକେଟ ଦେବେ ବୋଲି କହିଥିଲେ । ଏହାସହ ସାଂଘାତିକ ଅଭିଯୋଗ ଆଣି କୈଳାସ କହିଛନ୍ତି ପ୍ରଭୁ ଜାନିଙ୍କୁ ଟିକେଟ ବିକିଛି ଶାସକ ଦଳ ।

କେବଳ ସେତିକି ନୁହେଁ ଟିକେଟ ନଦେଇ ତାଙ୍କୁ ମ୍ୟାନେଜ କରିବାକୁ ଦଳ କୋଟିଏ ଟଙ୍କା ଯାଚିବା ସହ ଓ ଏସଡିସିର ଉପାଧ୍ୟକ୍ଷ ଆସନରେ ବସାଇବାକୁ ପ୍ରସ୍ତାବ ଦେଇଥିବାର ବି ଖୁଲାସା କରିଛନ୍ତି କୁଲେସିକା । ପ୍ରଶ୍ନ ଉଠୁଛି, ଯଦି ଟିକେଟ ଦେବାର ନଥିଲା ତାହେଲେ କୈଳାସକୁ କାହିଁକି ବିଜେଡିରେ ସାମିଲ କରିଥିଲା ଦଳ ?

ପ୍ରକୃତରେ କୈଳାସଙ୍କୁ ଦଳ ଭରସାକୁ ନେଲାନି ନା କାମ ସରିଗଲା ବୋଲି ଫୋପାଡି ଦେଲା ? ସବୁଠୁ ବଡ କଥା ହେଲା ୧୯ ନିର୍ବାଚନରେ ଦଳ ସେଠି ଜିତିଥିଲେ ବି କୈଳାସଙ୍କୁ ଦଳକୁ ନେଇଥିଲା । ଆଉ ଏହା ପଛର କାରଣ ଭାବେ ଲକ୍ଷ୍ମୀପୁର ମାଇନ୍ସ କାରବାର କଥା ଚର୍ଚ୍ଚାକୁ ଆସୁଛି ।

କାରଣ ଏହି ଖଣି ସଂସ୍ଥା ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏବଂ ସାଧାରଣ ସଂପାଦକ ଈଶ୍ୱର ପାଣିଗ୍ରାହୀଙ୍କ ବ୍ୟାବସାୟିକ ସଂପର୍କ ରହିଛି । କଂଗ୍ରେସରେ ଥିବା ବେଳେ କୋଡ଼ିଙ୍ଗା ମାଳି ମାଇନ୍ସକୁ ଜୋରଦାର ବିରୋଧ କରୁଥିଲେ କୈଳାସ କୁଲେସିକା ।

ଆଉ ହୁଏତ ତାଙ୍କୁ ମ୍ୟାନେଜ କରିବାକୁ ବିଜେଡିରେ ସାମିଲ କରି ଟିକେଟ ଥୋପ ଦିଆଯାଇଥିଲା । ତେବେ ୨୪ ଟିକେଟ୍ କଟିବା ପଛରେ ବି ମାଇନ୍ସ ଲବି ଥିବା ଚର୍ଚ୍ଚା ହେଉଛି । କାହିଁକି ନା ଯଦିଓ ସର୍ଭେରେ ଆଗରେ ଥିଲେ କୁଲେସିକା, ହେଲେ କାଳେ ସେ ବିଜୟ ହେଲେ ମାଇନ୍ସ ପ୍ରତି ବିପଦ ରହିବ ସେଥିପାଇଁ ପ୍ରଭୁ ଜାନିଙ୍କ ସପକ୍ଷରେ ମାଇନ୍ସ ବେପାରୀଙ୍କ ସପୋର୍ଟ ଥିବା ଚର୍ଚ୍ଚା ହେଉଛି ।

ତେବେ ଏ ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଖାଲି ଲକ୍ଷ୍ମୀପୁର ନୁହେଁ କୋରାପୁଟରେ ଜୟପୁର ଅଙ୍କ ବି ବିଜେଡି ପାଇଁ ଅଡୁଆ ହୋଇଛି । କଂଗ୍ରେସରୁ ହେଭିୱେଟ ତାରା ବାହିନୀପତି ପ୍ରାର୍ଥୀ ହୋଇଥିବା ବେଳେ ବରିଷ୍ଠ ବିଜେଡି ନେତା ରବି ନନ୍ଦ ଓ ରାଧାବିନୋଦ ସାମନ୍ତରାୟ ମଧ୍ୟରେ ଚାଲିଛି ଟିକେଟ ରେସ୍ ।

  • Reported by:
  • T GOURISHANKAR , SOUMYA RANJAN SAHOO