• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କନ୍ଦଳ, ବିବାଦ, ବିଭ୍ରାଟ । ବିଜେଡି ପାଇଁ ଖୋଲାଖୋଲି ବିଦ୍ରୋହ ସାଜିଲାଣି ମୁଣ୍ଡବିନ୍ଧା। ୨୪ ନିର୍ବାଚନ ପୂର୍ବରୁ ମାଳ ମାଳ ଆଶାୟୀଙ୍କ ଭିତରେ ତୀବ୍ର ହେଲାଣି ବିବାଦ। ଭୁବନେଶ୍ୱରରେ ତ ବିବାଦ ଥମିବାର ନାଁ ଧରୁନି। ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନୀ ମଣ୍ଡଳୀରେ ପାୱାର ସୋ ଜାରି ରଖିଛନ୍ତି ବିଦ୍ରୋହୀ। ସବୁଠୁ ବେଶୀ ଗୋଳ ମାଳିଆ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ। ଏଠି ବିଜେଡି କର୍ପୋରେଟର ଅମରେଶ ଜେନା ଆଜି ବନ୍ଧୁ ମିଳନ ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତା ସହ ବିଧାୟକ ଅନନ୍ତ ଜେନାଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଗତକାଲି ଭଳି ଆଜି ବି ମଧ୍ୟ ବିଧାୟକଙ୍କୁ କଡା ସମାଲୋଚନା କରି ଚେତାବନୀ ଦେଇଛନ୍ତି ଷଡ଼ଯନ୍ତ୍ର ନ କରିବାକୁ। ସେପଟେ ଅନନ୍ତ- ଅମରେଶ କଳିରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା ଏଣ୍ଟ୍ରି ମାରିଛନ୍ତି। ଅନନ୍ତଙ୍କୁ ସମର୍ଥନ ଜଣାଇ ଖୋଲା ମଞ୍ଚରୁ ଅମରେଶଙ୍କୁ କରିଛନ୍ତି ଟାର୍ଗେଟ୍। ତେଣେ ଅନନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ସେ ଦଳର ଶୃଙ୍ଖଳିତ କର୍ମୀ।

ଖାଲି ରାଜଧାନୀ ନୁହେଁ। ବନ୍ଦର ନଗରୀ ପାରାଦୀପରେ ଜଳ ହେଇ ଦିଶିଲାଣି ଗୋଷ୍ଠୀ କନ୍ଦଳ। ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି କରିଛନ୍ତି ବିଜେଡି ନେତା ଓ କର୍ମୀ। କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଂଜନ ବେହେରା ଓ ଶତାଧିକ କର୍ମୀ ରୁଦ୍ଧଦ୍ୱାର ବୈଠକ କରି ସମ୍ବିତଙ୍କୁ ଟିକେଟ ଦେଲେ ବିରୋଧ ଜୋର୍ ହେବ ବୋଲି ଚେତାବନୀ ଦେଇଛନ୍ତି। ଆଉ ସମ୍ବିତ କହିଛନ୍ତି ସ୍ଥିତି ଜାହିର ପାଇଁ ଏ ପ୍ରୟାସ।

ଗୋଟିଏ ପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢୁଥିବା ବେଳେ, ଅନ୍ୟପଟେ ବଳ ଶାଳୀ ହେଉଛି ବିଜେପି। ଆଜି ବିଧାୟକ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଢି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଥିଲେ। ଆସନ୍ତାକାଲି ବିଜେଡି ଛାଡିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ BJPରେ ଯୋଗଦେବେ। ସେପଟେ ବିଜେଡି କହିଛି, ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ଜଣକ ପରେ ଜଣେ ବିଜେଡି ନେତା ବିଜେପିକୁ ଡେଉଁଛନ୍ତି। ତେବେ ନିର୍ବାଚନରେ ଏହାର ପ୍ରଭାବ କିପରି ପଡ଼ୁଛି ଓ ଫାଇଦା କିଏ ନେଉଛି ତା ଉପରେ ନଜର।

  • Reported by:
  • RAMAKANTA NAYAK , JAGDISH DAS