• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ । ଏକାଠି ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ସହ ପରିବର୍ତ୍ତନ ନକଲେ ସାମୂହିକ ଇସ୍ତଫା ଚେତାବନୀ ବି ଦେଇଛନ୍ତି ।

ଟିକେଟ କଟିଥିବା ଆଉ ଦୁଇ ନେତା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଆଉ କୁଚିଣ୍ଡାର କିଶୋର ନାୟକଙ୍କ ଶିବିରରେ ସମାନ ଅସନ୍ତୋଷ । ଅନ୍ୟ ପଟେ ଏଯାଏଁ ବି କିଛି ଆସନରେ ଟିକେଟ ଘୋଷଣା ହେଉନଥିବାରୁ ତାତିଲେଣି ଦାବିଦାର ନେତାଙ୍କ କର୍ମୀ । ଟିକେଟ୍ କାଟିଲ, ଏବେ ସମ୍ଭାଳ। ତାତିଲେଣି କର୍ମୀ ।

ସାମୁହିକ ଇସ୍ତଫା ପାଇଁ ଚେତାବନୀ । ବିଭିନ୍ନ ସ୍ଥାନରେ ବିଜେଡି ବିରୋଧରେ ବିଦ୍ରୋହୀ କଲେଣି ମେଳି । ଆଉ କେଉଁଠି ଲମ୍ବା ସମୟ ଧରି ଟିକେଟ୍ ଝୁଲାଇ ରଖିବାରୁ ତେଜିଲାଣି ଅସନ୍ତୋଷ । ସମୀର ଦାଶଙ୍କ ଟିକେଟ୍ କଟିବା ପରେ ନିମାପଡ଼ାରେ ଏକ ମଣ୍ଡପରେ ଏକାଠି ହୋଇଥିଲେ ସମର୍ଥକ ।

ନିମାପଡ଼ାରୁ ସମୀରଙ୍କ ବଦଳରେ ଦିଲୀପ ନାୟକଙ୍କ ଟିକେଟକୁ ଜୋରଦାର ବିରୋଧ କରିଥିଲେ ସମୀରଙ୍କ ଗୋଷ୍ଠୀ । ଆଉ କର୍ମୀଙ୍କୁ ସମ୍ବୋଧନ କରୁ କରୁ କାନ୍ଦି ପକାଇଲେ ସମୀର । ଯଦି ଦଳ ନିଷ୍ପତ୍ତିର ପୁନଃ ବିଚାର ନକରେ ତାହେଲେ ସାମୁହିକ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି ସମୀରଙ୍କ ଗୋଷ୍ଠୀ ।

ଯେଉଁଥିରେ ଅଛନ୍ତି ଗୋପ ବ୍ଲକ ଅଧ୍ୟକ୍ଷା, ଏକାଧିକ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ବହୁ ସରପଞ୍ଚ ଓ ସମିତି ସଭ୍ୟ । ଶନିବାର ଦିନ କର୍ମୀ ସମାବେଶ କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ସମୀରଙ୍କ ଗୋଷ୍ଠୀ । ଅନ୍ୟପଟେ ଟିକେଟ କଟିଥିବା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ କୁଚିଣ୍ଡାରେ କିଶୋର ନାୟକଙ୍କ ଗୋଷ୍ଠୀରେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

ଯଦିଓ ଗଣମାଧ୍ୟମ ସାମ୍ନାରେ କୌଣସି ମନ୍ତବ୍ୟ ରଖିନାହାନ୍ତି ତେବେ ଭିତରେ ଭିତରେ ଉଭୟଙ୍କ ଗୋଷ୍ଠୀ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ନାରାଜ । ଅନ୍ୟପଟେ ଏବେ ବି ଅନେକ ହେଭିୱେଟଙ୍କ ଟିକେଟ ଝୁଲେଇ ରଖିଛି ଦଳ । ଯାହାକୁ ନେଇ ଉଭୟ ନେତା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବି ତେଜିଲାଣି । ଯେମିତି ଖୋର୍ଦ୍ଧା ଆସନରେ ଏ ଯାଏଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ।

ଚର୍ଚ୍ଚା ହେଉଛି ଏଠୁ ନୂଆ ମୁହଁ ଦେଇପାରେ ଦଳ । ଏମିତିକି ରାଜେନ୍ଦ୍ର ସାହୁ ବି ଫେରି ପାରନ୍ତି । କିନ୍ତୁ ଛାଡିବାକୁ ନାରାଜ ଏବେର ବିଧାୟକ ଜିତୁ ମିତ୍ର । ତାଙ୍କ କହିବା କଥା ଅନେକ ଆସନରେ ବିଧାୟକ ରିପିଟ୍ ହୋଇଥିବାରୁ ଦଳ ତାଙ୍କୁ ଟିକଟ୍ ଦେଉ । ସେହିଭଳି ବଡ଼ଚଣାରେ ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ ଝୁଲାଇ ରଖାଯାଇଛି ।

ଏମିତି କି ଟିକେଟ ଲବିରେ ଅମର ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ଗତକାଲି ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ୍ ମହାପାତ୍ରଙ୍କୁ କଂଗ୍ରେସରୁ ଆଣି ଆଜି ବିଜେଡିରେ ସାମିଲ କରାଯାଇଛି । ତେଣୁ ତାଙ୍କ ଟିକେଟ ଆଶା ବି କ୍ଷୀଣ ବୋଲି ଚର୍ଚ୍ଚା ହେଉଛି, ଯାହାକୁ ନେଇ ଅମରଙ୍କ ସମର୍ଥକ ମାନେ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେହିଭଳି ଭୋଗରାଇରୁ ବରିଷ୍ଠ ନେତା ଅନନ୍ତ ଦାସଙ୍କ ଭାଗ୍ୟ ବି ଏବେ ଅନ୍ଧାରରେ । ଯେଉଁଥି ପାଇଁ ନିଜ ପୁଅଙ୍କୁ ଧରି ନବୀନ ନିବାସରେ ହାଜର ହୋଇଥିଲେ ଅନନ୍ତ । ଅନ୍ୟପଟେ ବିଜେଡି କହିଛି ସର୍ଭେ ଆଧାରରେ ଟିକେଟ ଦିଆଯାଉଛି, ଯାହାର କଟୁଛି ତାଙ୍କୁ ଥଇଥାନ କଥା ବି ଦଳ ଚିନ୍ତା କରୁଛି, କୌଣସି ସମସ୍ୟା ହେବ ନାହିଁ ।

ପୂର୍ବରୁ ଟିକେଟ୍ କଟିବାରୁ ପର୍ଶୁରାମ ଧଡ଼ା ଅସନ୍ତୁଷ୍ଟ ଥିବା ବେଳ ରମେଶ ସାଏ, କୈଳାସ କୁଲେସିକା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଏବେ ଏହି ବିଦ୍ରୋହୀ ନେତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର ।