• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି । ଗତ ଶନିବାର ରାତିରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଅଉଖମା ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସାଇକେଲ ବାଣ୍ଟିଥିଲେ ସୁଧିର ।

ଗତକାଲି ଏହାର ଫଟୋ ସହ ନିଜ ଫେସ୍ ବୁକ୍ ରେ ଅପଲୋଡ କରିଛନ୍ତି I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ସମୟରେ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ ମଧ୍ୟ ଉଠିଛି । ତେବେ ଏ ସମ୍ପର୍କରେ ବିଧାୟକ ସୁଧିର ସାମଲଙ୍କୁ ପଚାରିବାରୁ ସେ ଉତ୍ତର ରଖିଛନ୍ତି ।

ତୈଳିକ ବୈଶ୍ୟ ସମାଜର କର୍ଯ୍ୟକ୍ରମରେ ଯୋଗ ଦେଇ ଯାଇଥିବା ବେଳେ ସାଇକେଲ ବଣ୍ଟନ କରାଯାଇଥିଲା । ତୈଳିକ ସମାଜ ସଦସ୍ୟଙ୍କ ଅନୁରୋଧ କ୍ରମେ ସେ ସାଇକେଲ ବଣ୍ଟନ କରିଥିଲେ । ତେବେ ସେ ଯେଉଁ ସାଇକେଲ ବଣ୍ଟନ କଲେ ତାହା ତାଙ୍କ ପଇସାରେ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଗତକାଲି ଆଉ ଏକ ଖବର ଏହି ନିର୍ବାଚନ ଆଚରଣ ବିଧି ଉଲଙ୍ଘନକୁ ନେଇ ମିଳିଥିଲା ।

ବିଜେଡିର ଇଫତାର ପାର୍ଟିରେ ଯୋଗ ଦେଇଥିଲେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ । ସେମାନେ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେଠାରେ ଲଗାଯାଇଥିଲା ବିଜେଡି ବ୍ୟାନର ।

ଏପରିକି ସେହି ବ୍ୟାନରରେ ଆଠଗଡ଼ ବିଧାୟକ ପ୍ରାର୍ଥୀ ରାଜା ସ୍ୱାଇଁଙ୍କ ଫଟୋ ମଧ୍ୟ ରହିଥିଲା । ରାଜା ସ୍ୱାଇଁଙ୍କ ପ୍ରତିନିଧି ଶେଖ ସାହାନବାଜ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି । ନିର୍ବାଚନ ପାଇଁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ ଦୁଇ ପୋଲିସ ଅଧିକାରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ କରିଛି ।

ସେପଟେ କେଉଁ ପରିସ୍ଥିତିରେ, କେଉଁ ଉଦ୍ଦେଶ୍ୟରେ ସାମିଲ ହୋଇଥିଲେ, ନିର୍ଦ୍ଦିଷ୍ଟ ଭାବେ କିଏ ନିମନ୍ତ୍ରଣ କରିଥିଲା, ଏ ସଂପର୍କରେ ସଂପୃକ୍ତ ଦୁଇ ପୋଲିସ ଅଧିକାରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।