/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716114735.jpg)
DGP on Election
ଆସନ୍ତାକାଲି ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତା ଭିତରୁ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ।
ଡିଜିପିଙ୍କ ସୂଚନା ଅନୁସାରେ ଆସନ୍ତାକାଲି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜଣେ ଜଣେ ଅତିରିକ୍ତ ଏସପି ଦାୟିତ୍ୱରେ ରହିବେ। ଆସନ୍ତାକାଲି ଭୋଟ୍ ହେବାକୁ ଥିବା ମୋଟ ୯ ହଜାର ୧୬୨ଟି ବୁଥ୍ ମଧ୍ୟରୁ ୫୫୬ଟି ନକ୍ସଲ ପ୍ରବଣ ଅଂଚଳରେ । ତେଣୁ ସେ ଦୃଷ୍ଟିରୁ ଏସବୁ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ୧୧ଟି ଜିଲ୍ଲା ସୀମାରେ ଥିବା ୪୮ଟି ଚେକ୍ ପୋଷ୍ଟ କରାଯାଇଛି । ସେହିଭଳି ନିର୍ବାଚନ ସମୟରେ ଜିରୋ ଟଲେରାନ୍ସ ନୀତି ଆପାଣା ଯାଉଥିବାରୁ ବିଶୃଙ୍ଖଳାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ।
ସେପଟେ ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିର୍ବାଚନୀ ପ୍ରଚାର ପାଇଁ ଆଜି ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ୍ ସୋ’। ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳେ ପୁରୀ ଯିବେ। ସକାଳ ୭ଟା ସୁଦ୍ଧା ତାଳବଣିଆ ହେଲିପ୍ୟାଡରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ଯିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ’। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଜେପି ବରିଷ୍ଠ ନେତା, କର୍ମୀ, ସମର୍ଥକ ଓ ସାଧାରଣ ଲୋକ ସାମିଲ ହେବେ। ମୋଦିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ନେଇ ପୁରୀରେ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ମୋଦିଙ୍କ ପୁରୀ ଗସ୍ତ ସମୟରେ ସେ ସମସ୍ତଙ୍କୁ ଆଚମ୍ବିତ କରିବା ଭଳି କିଛି କାର୍ଯ୍ୟ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ସମ୍ବିତ ପାତ୍ର ।
ସେପଟେ କାଲି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସହ ରୋଡ୍ ସୋ’ ପାଇଁ କଟକଣା ଲଗାଯାଇଛି । ତାଳବଣିଆରେ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ପୁରୀରେ କଟକଣା ଲାଗୁ ହେବ । ମୋଦିଙ୍କ ଗସ୍ତ ପାଇଁ କଟକଣା କରାଯାଇଥିବା ପୁରୀ ଏସ୍ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ସାଢ଼େ ୭ଟାରେ ପହଞ୍ଚିବେ ମୋଦି । ତେବେ ପ୍ରଧାନମନ୍ତ୍ରୀ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ସହ ଟ୍ରାଫିକ କଟକଣା ଲାଗୁ ହେବ । ସେହିପରି ରୋଡ୍ ସୋ’ ପାଇଁ ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ କଟକଣା। ତାଳବଣିଆ ଛକରୁ ଶ୍ରୀମନ୍ଦିର, ମରିଚିକୋଟରୁ ମେଡିକାଲ ଛକ ଯାଏଁ କଟକଣା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍ପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)