• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଫୋକସରେ ଓଡ଼ିଶାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୫ ବିଧାୟକଙ୍କୁ ରିପିଟ୍ କଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଟିକେଟ୍ । ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା ସହ, ଆଜିଠୁ ବିଧିବଦ୍ଧ ଭାବେ ୨୪ ମହାସମର ପାଇଁ ବିଗୁଲ୍ ବଜାଇଛି କଂଗ୍ରେସ । ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ । ସେଠି ବିଜେପିରୁ ଏକ୍ସ-ଏମଏଲଏ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏବଂ ବିଜେଡିରୁ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସହ ହେବ ଶରତଙ୍କ ଫାଇଟ୍। ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

ବହୁ ହେଭିୱେଟ ଓ କିଛି ନୂଆ ଚେହେରାଙ୍କୁ ବି ଏଥର ଭରସା କରିଛି କଂଗ୍ରେସ । ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ । ଲାଞ୍ଜିଗଡ଼ରେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ ଏଥର କଂଗ୍ରେସ ଟିକେଟରୁ ଲଢ଼ିବେ । ସେଠାରେ ରମେଶ ଚନ୍ଦ୍ର ମାଝୀ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ, ବିଜେଡିରୁ ଲଢ଼ୁଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ତଳସରା ପାଇଁ ହକି ଷ୍ଟାର୍ ପ୍ରବୋଧ  ତିର୍କୀଙ୍କୁ ନୂଆ ସେଲିବ୍ରିଟି ଚେହେରା ଭାବେ ନିର୍ବାଚନୀ ମୈଦାନକୁ ପଠାଇଛି କଂଗ୍ରେସ । ମାଲକାନଗିରିରେ ଲଗାତାର ତୃତୀୟ ଥର ଟିକେଟ୍ ପାଇଛନ୍ତି ମାଲା ମାଢ଼ି । ମାଲା ୨୦୧୪ ଓ ୧୯ରେ ମଧ୍ୟ ମାଲକାନଗିରିରୁ ଲଢ଼ି ପରାଜୟର ସାମ୍ନା କରିଥିଲେ ।

ତେବେ ତୀବ୍ର ସମାଲୋଚିତ ହେବା ପରେ ବି, ପରିବାରବାଦରୁ ମୁହଁ ବୁଲାଇନି କଂଗ୍ରେସ । ବାପା, ପୁଅ, ଝିଅଙ୍କୁ ମିଳିଛି ଟିକେଟ୍ । ନର୍ଲାରୁ ବରିଷ୍ଠ ନେତା ଭକ୍ତ ଚରଣ ଦାସ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ, ତାଙ୍କ ପୁଅ ସାଗର ଚରଣ ଦାସ ଏଥର ପୁଣି ଲଢ଼ିବେ ଭବାନୀପାଟଣାରୁ । ସେପଟେ ବାପା ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ଟିକେଟ ପାଇଥିବା ବେଳେ, ଝିଅ ଲିପିକା ମାଝୀଙ୍କୁ ଡାବୁଗାଁରେ ବିଧାନସଭା ଟିକେଟ ଦେଇଛି କଂଗ୍ରେସ । ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏଥର ନିଜେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିବା ବେଳେ, ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ବଲାଙ୍ଗୀରରୁ ପ୍ରୋଜେକ୍ଟ କରିଛି ଦଳ ।

ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣାରେ, କଂଗ୍ରେସ ୬ ମହିଳାଙ୍କୁ ଟିକେଟ ଦେଇଥିବା ବେଳେ, ଇଣ୍ଡିଆ ମେଣ୍ଟ ସହଯେଗୀ JMMକୁ ବୀରମିତ୍ରପୁର ଏବଂ CPMକୁ ବଣାଇ ଆସନ ଛାଡ଼ିଛି ।