• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ । ବିଷମକଟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ନୀଳମାଧବ ହିକକା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଜଗନ୍ନାଥ ସାରକା ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ଦର୍ଶାଇବା ବଦଳରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦର୍ଶାଇଥିବା ନୀଳମାଧବ ହିକକା କହିଛନ୍ତି । ଏନେଇ ସେ ରିଟର୍ଣ୍ଣିଂ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ ଜଗନ୍ନାଥ ସାରକାଙ୍କ ପ୍ରାର୍ଥିପତ୍ର କାଏମ ରଖାଯାଇଛି ।

ଯାହାକୁ ନେଇ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ଜଗନ୍ନାଥ ସାରକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ନାମାଙ୍କନ ପର୍ବ ।

ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଆସି ଛତ୍ରପୁର ଡିଆରଡିଏ କକ୍ଷରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସେହିପରି ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନା ଓ ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ଦିଗପହଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ଶାକା ସୁଜିତ ମଧ୍ୟ ନାମାଙ୍କନ ଭରିଛନ୍ତି । ଶେଷ ଦିନରେ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ନିଜ ସମର୍ଥକଙ୍କ ଗହଣରେ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତାଙ୍କ ବିପକ୍ଷରେ ବିଜେଡିରୁ ପ୍ରଦୀପ ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ଲଢୁଥିବା ବେଳେ ସେମାନେ ପୂର୍ବରୁ ନାମାଙ୍କନ କରିସାରିଛନ୍ତି ।

ଆସନ୍ତା ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଯାଉଥିବା ବେଳେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଭୋଟ ପଡ଼ିବ ।