• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ମାନସମନ୍ଥନ । ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସଂଗଠନ ମହାସଚିବ କେ.ସି. ବେଣୁଗୋପାଳଙ୍କ ସହ ଏହି ବୈଠକରେ ଓଡ଼ିଶାରୁ ମଧ୍ୟ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।

ଉପସ୍ଥିତ ଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରମୁଖ । ଓଡ଼ିଶା ପାଇଁ ବିଜେପି ସମସ୍ତ ଲୋକସଭା ପ୍ରାର୍ଥୀ ଏବଂ ବିଜେଡି ୭୨ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ଏଯାଏଁ ଓଡ଼ିଶା ପାଇଁ ଜଣେ ବି ବିଧାୟକ କି ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ।

ଅଧିକ ପଢ଼ନ୍ତୁ: ଛିଣ୍ତୁନି ଅଙ୍କ; ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ

ଗତକାଲିର କଂଗ୍ରେସ ସିଇସି ବୈଠକରେ ଓଡ଼ିଶା ଏବଂ ବିହାରର ପ୍ରାର୍ଥୀ ଚୟନ ସଂପର୍କରେ ଆଲୋଚନା ହୋଇଥିବାର ସୂଚନା ମିଳିଛି । ସେପଟେ ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ସପ୍ତାହ ବିତିଗଲାଣି । କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ପୂରା ସରି ନାହିଁ ।

ଦଳ ଡିଆଁକୁ ନେଇ ଛକାପଞ୍ଝା ସ୍ଥିତି । ମାର୍ଚ୍ଚ ୨୭ରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ଆସିଥିଲା । ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ଏହା ପରେ ଦଳରେ ଦେଖାଦେଇଛି ବିଦ୍ରୋହ । ତେଣୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିଲେ ବି ୱେଟ୍ ଆଣ୍ଡ ୱାଚ୍ ପଲିସିରେ ବିଜେଡି ବାକି ୭୫ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରୁନଥିବା କୁହାଯାଉଛି ।

ଚର୍ଚ୍ଚା ହେଉଛି ବିଜେପି ତାଲିକାକୁ ଦେଖି ଦଳ ତାର ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ । ସେହିପରି ବିଜେପି ଦୁଇଟି ଦଫାରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଝୁଲାଇ ରଖିଛି । କୁହାଯାଉଛି ପାଖାପାଖି ଶହେ ନାଁ ଚୂଡ଼ାନ୍ତ ହୋଇଥିଲା ବେଳେ ବାକି ଆସନକୁ ନେଇ ଅଙ୍କକଷା ଜାରି ରହିଛି ।

ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ ନାଁ ଘୋଷଣା କରିବାକୁ କହିଥିବା କଂଗ୍ରେସ କିନ୍ତୁ ମାସ ପୂରିଗଲା ସିନା, ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନି ।