• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍‌ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନରେ ଓଡ଼ିଶାରେ ପ୍ରଚାର କରିବେ ବହୁ କେନ୍ଦ୍ରୀୟ ନେତା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୁନ୍ଦରଗଡ଼ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ବଲିଉଡ୍ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ଆଜି ଅନୁଗୁଳ, ପାଲଲହଡ଼ା ଓ ଦେବଗଡ଼ରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂ ଯାଦବ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏପଟେ ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ଜନସଭାରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ ତାରିଖରେ ହେବ ଭୋଟ୍‌ ଗ୍ରହଣ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ ମତଦାନ । ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ।

ବିହାରର ୫ ଆସନ, ଜାମ୍ମୁ ଓ କାଶ୍ମୀରର ୧, ଝାଡ଼ଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡ଼ିଶାର ୫ ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି, ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପିର ରାଜନାଥ ସିଂ, ସ୍ମୃତି ଇରାନୀ ଭଳି ହେଭିୱେଟ୍‌ ନେତା ।

OTV is now on Whatsapp

Join and get latest news update delivered to you via whatsapp

Join Now