• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରଧାନମନ୍ତ୍ରୀ ବିନା ଗଣିତରେ କୌଣସି କଥା କୁହନ୍ତିନି । ଓଡ଼ିଶାର ସାଧାରଣ ଜନତା ମନ ପରିବର୍ତ୍ତନ କରିଥିବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଦୃଢ଼ ନିଶ୍ଚିତ ଅଛନ୍ତି । ଗତକାଲି ଜୁନ୍ ୧୦ ନୁହେଁ, ୧୦ ବର୍ଷ ଯାଏଁ ବିଜେପି ଓଡ଼ିଶା ଲୋକଙ୍କ ହୃଦୟ ଜିତିପାରିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ରାସ୍ତା ଫିଟିସାରିଛି । ତେଣୁ କେବଳ ଅପେକ୍ଷା ଜୁନ୍ ୪ ତାରିଖକୁ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବଡ଼ ଅପିଲ୍ । ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । AI ପ୍ରସ୍ତୁତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ମେସେଜକୁ ପ୍ରକୃତରେ ରେକର୍ଡ ହୋଇଥିବା ଭିଡିଓ ମେସେଜ୍, ଯେମିତିକି ହେଲିକପ୍ଟରରୁ କିମ୍ବା ବିରଳ ସାର୍ବଜନୀନ ଉପସ୍ଥିତିର ଭିଡିଓ ମେସେଜ୍ ସହ ତୁଳନା କଲେ ଉଭୟ ଭିତରେ ଥିବା ଆକାଶ ପାତାଳ ଫରକ ସ୍ପଷ୍ଟ ବାରି ହୋଇପଡ଼ିବ। ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନ କରିବାକୁ ସେ ରାଜ୍ୟବାସୀ ତଥା ଗଣମାଧ୍ୟମକୁ ଅପିଲ୍ କରିଛନ୍ତି ।

ଏଥିସହ ଆପଣମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଲାଇଭ୍ ଘୋଷଣା କିମ୍ବା ରେକର୍ଡିଂ ଉପରେ ଜୋର୍ ଦେବାକୁ ଆହ୍ୱାନ ଦେଇଛନ୍ତି, ଅଥବା ଏଭଳି ସମସ୍ତ AI ପ୍ରସ୍ତୁତ ବାର୍ତ୍ତା ଉପରେ ଲେବଲ ମାରିବାକୁ କହିଛନ୍ତି। କିଏ କ’ଣ ସେମାନଙ୍କୁ କହୁଛି ତାହା ଜାଣିବାର ଅଧିକାର ଓଡ଼ିଶାବାସୀଙ୍କର ଅଛି ବୋଲି ବୈଜୟନ୍ତ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତେବେ ବୈଜୟନ୍ତଙ୍କ ଏ ପୋଷ୍ଟ ଉପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ ଗତକାଲି ମୋଦିଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାୟ ୩ ମିନିଟ୍‌ର ଏକ ଭିଡିଓ ସେୟାର କରି ସେ କହିଥିଲେ ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରିୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। କେତେ ନାଁ ଆଜି ଆପଣ ବି କହିଲେ’।

ସେ ଆହୁରି କହିଥିଲେ ‘କେହି ଜଣେ ହେଲେ ବି ଭାରତରତ୍ନ ପାଇଁ ଠିକ୍ ଲାଗିଲେ ନାହିଁ କି ? ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ଚାଷୀମାନଙ୍କ ପାଇଁ MSP ଦୁଇ ଗୁଣା କରିବାକୁ ପ୍ରମିଜ୍ କରିଥିଲେ, ଆପଣ ତାକୁ ବି ଭୁଲିଗଲେ। ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ୍ ହାଇୱେ କରିବାର ଥିଲା। ସେଇଟା ବି ଭୁଲିଗଲେ। ଓଡ଼ିଶାର ସଂପଦ କୋଇଲା। କୋଇଲା ଆପଣ ନେଉଛନ୍ତି, ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ। ଆପଣ ୨୦୧୪ ଏବଂ ୨୦୧୯ରେ ନିଜେ କରିଥିବା ପ୍ରମିସେସକୁ ମନେ ରଖିଛନ୍ତି କି ? ଓଡ଼ିଶାବାସୀ ଆପଣଙ୍କର କରିଥିବା ଦରବୃଦ୍ଧିକୁ କମାଇବା, LPG, PETROL, DIESEL ଦର କମାଇବା, ମୋବାଇଲ କନେକଟିଭି ଦେବା ଏବଂ GST ଛାଡ଼ କରିବା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି। ଜୁନ୍ ୧୦ରେ ତ ନୁହେଁ, ଆଉ ୧୦ ବର୍ଷ ଯାଏଁ ବି ବିଜେପି ଓଡ଼ିଶା ଲୋକଙ୍କର ହୃଦୟ ଜିତିପାରିବ ନାହିଁ। ମହାପ୍ରଭୁଙ୍କ ଆଶିର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ’ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ କହିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now