Advertisment

ମିଶନ ଶକ୍ତି ଓ BSKYକୁ ଢାଲ କରୁଛି କି ବିଜେଡି ? ବିଜେପି ବିରୋଧରେ ଅପପ୍ରଚାରକୁ ଓହ୍ଲାଇଛି କି ଦଳ ?

ମାଲକାନଗିରିରେ ପାଣ୍ଡିଆନଙ୍କ ଭାଷଣକୁ ନେଇ ଖଡଗହସ୍ତ ବିଜେପି । କହିଲା ମିଶନ୍ ଶକ୍ତି କେନ୍ଦ୍ରର, ବନ୍ଦ ହେବନି ଦୁଇଟିଯାକ ଯୋଜନା ।

author-image
Satyendu Shekher Mishra
undefined

Odisha Politics

ବିଜେଡିକୁ ଘାରିଛି କି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବା ଚିନ୍ତା ? ମିଶନ ଶକ୍ତି ଆଉ BSKYକୁ ଢାଲ କରି ବିଜେପି ବିରୋଧରେ ଅପପ୍ରଚାରକୁ ଷ୍ଟ୍ରାଟେଜି କରିଛି କି ଦଳ ? ମିଶନ ଶକ୍ତି ମହିଳାଙ୍କ ଦୁବାଇ ଗସ୍ତକୁ ବନ୍ଦ କରିଛନ୍ତି ବିଜେପି ମନ୍ତ୍ରୀ ! ଆଗକୁ ବିଜେପି ସରକାରକୁ ଆସିଲେ ବନ୍ଦ କରିଦେବ ମିଶନ ଶକ୍ତି ! ଏହାସହ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବି ବନ୍ଦ କରିବେ। ନିର୍ବାଚନୀ ସଭାମଞ୍ଚରେ ବିଜେଡିର ଏଭଳି ଖୋଲାଖୋଲି ଅଭିଯୋଗ ପରେ ବିଜେଡି ଏବଂ ପାଣ୍ଡିଆନଙ୍କୁ କଡା ଭାଷାରେ ଟାର୍ଗେଟ କରିଛି ବିଜେପି ।

Advertisment

ଦଳ କହିଛି ଲୋକଙ୍କୁ ଭୂଆଁ ବୁଲାଇବାରୁ ନିବୃତ ରହୁ ବିଜେଡି। ମିଶନ ଶକ୍ତି କେନ୍ଦ୍ର ସରକାରଙ୍କର। ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ ହେବନି, ବରଂ ଆହୁରି କ୍ରିୟାଶୀଳ ହେବ। ଦୁବାଇ ନୁହେଁ ୟୁରୋପ, ଆମେରିକା ଯିବେ ମିଶନ ଶକ୍ତି ମହିଳା। ବାଜପେୟୀ ମିଶନଶକ୍ତି ଆରମ୍ଭ କରିଥିଲେ। ମୋଦି ଆସିବା ପରେ ମିଶନଶକ୍ତି ମହିଳା ଲକ୍ଷପତି ହୋଇଛନ୍ତି। ଓଡିଶା ସରକାର କେନ୍ଦ୍ର ଅନୁଦାନକୁ ବାଟମାରଣା କରିବା ସହ ସେମାନଙ୍କୁ ଡାଇଭର୍ଟ କରି ନିଜ କାମରେ ଲଗାଉଥିବା ଦଳ ଅଭିଯୋଗ କରିଛି।

ସେହିଭଳି ବିଏସକେୱାଇ ପ୍ରସଙ୍ଗରେ ଦଳ କହିଛି, କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ବାରମ୍ବାର ଦାବି କରି ଆସୁଥିଲେ ବି କାହିଁକି ରାଜ୍ୟ ସରକାର ଲାଗୁ କରୁନାହାନ୍ତି । କେନ୍ଦ୍ରୀୟ ଯୋଜନା ଲାଗୁ ହୋଇଥିଲେ ପ୍ରତ୍ୟେକ ହିତାଧିକାରୀ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇଥାନ୍ତେ। ଏହାର ଜବାବ୍ ରଖିଛି ବିଜେଡି।

Advertisment

ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏକ୍ସପୋଜର ଭିଜିଟ୍ ନାଁରେ କିଛି ମିଶନ ଶକ୍ତି ମହିଳାଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇବାକୁ ନିଷ୍ପତ୍ତି କରିଥିଲେ ରାଜ୍ୟ ସରକାର। ଯାହାକି ଆଚରଣ ବିଧିର ଉଲ୍ଲଂଘନ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ସେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏହାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।

ଏହାକୁ ଢାଲ କରି ବିଜେପି ମିଶନଶକ୍ତି ବିରୋଧୀ ଓ ମହିଳା ବିରୋଧୀ ବୋଲି କହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲା ବିଜେଡି। ପ୍ରଶ୍ନ ଉଠୁଛି ନିର୍ବାଚନ କମିଶନଙ୍କ ଛାଟ ଯୋଗୁଁ ଦୁବାଇ ଗସ୍ତ ବାତିଲ ହୋଇଥିବା ବେଳେ କାହିଁକି ବିଜେପି ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରୁଛି ବିଜେଡି। ମହିଳା ଭୋଟ ବ୍ୟାଙ୍କ ଧରି ରଖିବାକୁ ବିଜେଡି ପାଖରେ ଆଉ କିଛି ଅସ୍ତ୍ର ନାହିଁ କି। 

ସେପଟେ ବିଜେପି ମହିଳାମାନଙ୍କୁ ଫୋକସ କରି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ବିଜେପି ସରକାରକୁ ଆସିଲେ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହାୟତା ପ୍ରତିଶ୍ରୁତି ଦେଇଛି। SHGଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ରର, ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି ଆଦି ଯୋଜନା ଆଣି ଆଗରେ ରହିଛି ବିଜେପି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପିର ଏହି ଘୋଷଣା ବିଜେଡିର ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିପାରେ।

ରାଜ୍ୟରେ ୧ କୋଟି ୬୫ ଲକ୍ଷ ମହିଳା ଏଥର ନିର୍ବାଚନରେ ମତ ସାବ୍ୟସ୍ତ କରିବେ। ଆଉ ସେଥିରୁ ପ୍ରାୟ ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଜଡିତ। ତେଣୁ ବିଜେଡିର ଏହି ଅପପ୍ରଚାର ଚାଲବାଜିକୁ ବିଜେପି କେମିତି ଜବାବ୍ ଦେଉଛି ତା ଉପରେ ନଜର।

BJD BJP Congress Odisha Politics General Election 2024
Advertisment
Advertisment