Advertisment

ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

author-image
Satyendu Shekher Mishra
Odisha Politics

Odisha Politics

ଭୋଟ୍ ତାରିଖ ଯେତିକି ପାଖଉଛି, ବିଜେଡି ଟିକଟ୍ କଳି ସେତିକି ବଢୁଛି। ଏଥର ଆଶାୟୀଙ୍କ ଧୈର୍ଯ୍ୟ ଆଉ ବୋଲ ମାନୁନି। ଶୀର୍ଷ ନେତୃତ୍ୱଙ୍କୁ ଖୋଲା ଚାଲେଞ୍ଜ ଦେଲେଣି ଆଶାୟୀ । ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ କଣ୍ଟା ସାଜିଛନ୍ତି କର୍ପୋରେଟର ଅମରେଶ ଜେନା।

Advertisment

ସେହିପରି ଆଉ ଜଣେ ଆଶାୟୀ ହେଲେ ରୁଦ୍ର ସାମନ୍ତରାୟ। ଦୃଢ଼ ସଂଗଠକ ହିସାବରେ ସେ ବି ରେସ୍‌ରେ ଅଛନ୍ତି। ଅନନ୍ତଙ୍କୁ ହଟାଇବା ପାଇଁ ଉଭୟ ରୁଦ୍ର ଓ ଅମରେଶ ହାତ ମିଳାଇଛନ୍ତି। ମେଳି କରି, ଏକାଠି ପ୍ରଚାର ବି ଆରମ୍ଭ କରିଦେଇଛନ୍ତି। ବିବାଦ ଏପରି ବଢ଼ିଛି ଯେ, ମୁଖିଆଙ୍କୁ ଅମରେଶ ଜଣାଇ ଦେଇଛନ୍ତି, ମୁଁ ନହେଲେ ନାହିଁ କିନ୍ତୁ ଅନନ୍ତଙ୍କୁ ଟିକେଟ ନ ମିଳୁ। ନଚେତ୍ ବିଦ୍ରୋହ ଜୋର୍ ହେବ। ଆଉ ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଆଜି ଅନନ୍ତ ନିଜ ସମର୍ଥକଙ୍କୁ ଧରି ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି।

ସମର୍ଥକଙ୍କ ଭିତରେ ଖୋର୍ଦ୍ଧାର କିଛି କର୍ମୀ ଥିବାରୁ ଟିକେଟ ବଞ୍ଚାଇବାକୁ ଅନନ୍ତ ବିକଳ୍ପ ଭାବେ କାଳେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ମୁଖିଆଙ୍କୁ ଭେଟି ଗୁହାରି କରିଥିବା ଚର୍ଚ୍ଚା ହେଉଛି। ତେବେ ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

Advertisment

ତେବେ ବିଦ୍ରୋହ ଓ ବିରୋଧ ସତ୍ତ୍ୱେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଟିକେଟ୍ ଦେଇଛି ବିଜେଡି। ଅଶୋକଙ୍କ ବିରୋଧରେ ଚାରି ଚାରିଥରର କୋର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଏକପ୍ରକାର ଯୁଦ୍ଧ ଘୋଷଣା କରିବାରୁ ଅଡୁଆରେ ପଡ଼ିଥିଲା ଶାସକ ଦଳ। ଏପରିକି ପୂର୍ବରୁ ସଭାସମିତି କରି ପାୱାର ସୋ କରୁଥିବା ବେଳେ ଆଜିଠାରୁ ପ୍ରଚାର ଆରମ୍ଭ କରିଦେଇଥିଲେ। ହେଲେ ଏସବୁ ସତ୍ତ୍ୱେ ଅଶୋକଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିରଞ୍ଚିଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ଏବେ ତା ଉପରେ ନଜର।

ସେହିପରି ଭୁବନେଶ୍ୱର ଉତ୍ତରରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହେବା ପରେ ସେଠି ସୁଶାନ୍ତ ରାଉତଙ୍କ ନାଁକୁ ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି।

ଏଥର ରାଜଧାନୀ ରାଜନୀତି ବିଜେଡି ମୁଣ୍ଡ ବ୍ୟଥାକୁ ବଢେଇ ଦେଇଛି। କୁହୁଳୁ ଥିବା ଅସନ୍ତୋଷକୁ ଦଳ କିପରି ମ୍ୟାନେଜ କରୁଚି ତା ଉପରେ ନଜର।

BJD BJP Congress Odisha Politics General Election 2024
Advertisment
Advertisment