• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

BJDକୁ ଅଡୁଆ ବିଦ୍ରୋହୀ । ରାଜଧାନୀର ସ୍ଥିତି ଦଳ ପାଇଁ ସଙ୍ଗୀନ । ଏକାଧିକ ଆଶାୟୀ, ମାଳ ମାଳ ସମାନ୍ତରାଳ ସଂଗଠନ । ଖୋଦ୍ ରାଜଧାନୀରେ BJD ଫାଳଫାଳ । ଟିକେଟ୍ ପାଇଁ ସଭିଏଁ କରୁଛନ୍ତି ଶକ୍ତି ପ୍ରଦର୍ଶନ । ଏଭଳି ସ୍ଥଳେ BJDକୁ ଭୟ ଘାରିଛି ଦଳ ଡିଆଁର ।

ନିର୍ବାଚନ ଯେତିକି ପାଖଉଛି BJD ଅଡୁଆ ସେତିକି ବଢୁଛି । ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ଆଶାୟୀ ବନିପାରନ୍ତି ବିଦ୍ରୋହୀ । ରାଜ୍ୟର ତମାମ ନିର୍ବାଚନ ମଣ୍ଡଳୀରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ବିଦ୍ରୋହୀ ଦେଲେଣି ରଣହୁଙ୍କାର । ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀ ଏକାମ୍ର, ମଧ୍ୟ ଓ ଉତ୍ତରରେ ସମାନ୍ତରାଳ ସଂଗଠନ ଆରମ୍ଭ ହୋଇଗଲାଣି ।

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ସେପଟେ ଅଶୋକଙ୍କ ମହିଳା ସମାବେଶକୁ ସିଧାସଳଖ କାଉଣ୍ଟର କରିଛନ୍ତି BJD କର୍ପୋରେଟର ବିରଞ୍ଚି ମହାସୁପକାର । ଚାରି ଚାରି ଥରର କର୍ପୋରେଟର ବିରଞ୍ଚି ନିଜକୁ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରୁଛନ୍ତି ।

ବର୍ତ୍ତମାନର ବିଏମ୍‌ସି କର୍ପୋରେଟର ଓ ପୂର୍ବତନ କର୍ପୋରେଟରଙ୍କୁ ନେଇ ସଭା କରି ଖୋଲା ଚାଲେଞ୍ଜ ଦେଇଛନ୍ତି । ଦଳ ତାଙ୍କ କଥା ଏଥର ନିର୍ବାଚନରେ ବିଚାର କରିବ ବୋଲି ଦୃଢତାର ସହ କହିଛନ୍ତି ବିରଞ୍ଚି । ସେପଟେ ବିରଞ୍ଚିଙ୍କ ଶକ୍ତି ପ୍ରଦର୍ଶନ ପରେ ଅଶୋକ ଓ ବିରଞ୍ଚି ବିବାଦ ଘନେଇଛି ।

ଭୁବନେଶ୍ୱର ମଧ୍ୟ ଓ ଉତ୍ତରରେ ବି ସମାନ ସ୍ଥିତି । ୨୦୨୪ ନିର୍ବାଚନ ଯେପରି ଆଶାୟୀଙ୍କ ପାଇଁ ଶେଷ ସୁଯୋଗ । ସେଥିଲାଗି ଏ ଦୁଇ ନିର୍ବାଚନ ମଣ୍ଡଳୀରେ BJD ବିଦ୍ରୋହୀ ମୁଣ୍ଡ ଟେକିଲେଣି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କାଉଣ୍ଟର କରୁଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା । ସେ ମଧ୍ୟ 'ଉଇ ଫର ଭୁବନେଶ୍ୱର' ସଂଗଠନ ଗଠନ କରି ପ୍ରଥମ ଦିନରୁ ଅନନ୍ତଙ୍କୁ କାଉଣ୍ଟର କରୁଛନ୍ତି । ନିକଟରେ BJPର ମଧ୍ୟ ଭୁବନେଶ୍ୱର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଏକ ବୈଠକ ମଧ୍ୟ ହୋଇଛି ।

ସେପଟେ ଉତ୍ତର ସ୍ଥିତି ତ ପୂରା ଗୋଳମାଳିଆ । ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୋଟିଏ ପରେ ଗୋଟିଏ ସମାବେଶ କରି ବିଧାୟକ ସୁଶାନ୍ତ ରାଉତଙ୍କ ପାଇଁ ସୃଷ୍ଟି କରିଛନ୍ତି ଚ୍ୟାଲେଞ୍ଜ୍ । ପ୍ରିୟଦର୍ଶୀ ଏଠାରୁ ୨୦୧୪ରୁ ୧୯ ଯାଏଁ ବିଧାୟକ ଥିବା ବେଳେ, ୧୯ରେ କିନ୍ତୁ ଟିକେଟ୍ ପାଇଥିଲେ ସୁଶାନ୍ତ । ଏଥର କିନ୍ତୁ ପ୍ରିୟଦର୍ଶୀ ବନ୍ଧୁ ମିଳନ ନାଁରେ ମହିଳା, ଯୁବ ଛାତ୍ର ଓ ବରିଷ୍ଠ ନାଗରିକଙ୍କୁ ନେଇ ସମାବେଶ କରିଚାଲିଛନ୍ତି । ଆଜି ବି ଯୁବ ଛାତ୍ର ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏଠି ପ୍ରଶ୍ନ କାହିଁକି ବିଜେଡି ଆଶାୟୀଙ୍କ ଧୈର୍ଯ୍ୟ ଏବେ ବୋଲ ମାନୁନି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଏକାଧିକ ଆଶାୟୀଙ୍କ ପ୍ରତି ନିର୍ବାଚନ ମଣ୍ଡଳୀରେ ଥିବାରୁ ଏଥର ବିଜେଡି ପାଇଁ ଟିକେଟ ବଣ୍ଟନ କାଠିକର ପାଠ ହେବ । ଆଉ ଟିକଟ ନମିଳିଲେ ବିଦ୍ରୋହୀ ଦଳ ଡିଆଁ ବି ଦେବେ ।

  • Reported by:
  • JAGDISH DAS , Sanjeeb Nayak