• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଟଳମଳ ଅନେକ ବରିଷ୍ଠଙ୍କ ଆସନ । ନର୍ଲା ଆସନରୁ ଭୂପିନ୍ଦର ସିଂଙ୍କ ଟିକେଟ କଟିବା ପରେ ଛନକା । ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆସିବା ପରେ ବି ଆଶଙ୍କାରେ ବରିଷ୍ଠ ନେତା । ଏକାଧିକ ବରିଷ୍ଠଙ୍କ ସିଟରେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିପାରିନି । ଯେମିତିକି ୬ ଥରର ବିଧାୟକ ଅମର ଶତପଥୀ । ବଡ଼ଚଣା ଆସନରୁ ଲଗାତର ଭାବେ ନିର୍ବାଚନ ଜିତି ଆସୁଛନ୍ତି । ହେଲେ ଏଥର କିନ୍ତୁ ତାଙ୍କ ଟିକେଟ ଝୁଲି ରହିଛି ।

ଅନୁଗୁଳର ଚାରି ଚାରି ଥରର ବିଧାୟକ ରଜନୀକାନ୍ତ ସିଂ । ଉପବାଚସ୍ପତି ପଦ ଛାଡ଼ି ନିର୍ବାଚନ ମଣ୍ଡଳୀର ସଂଗଠନ ଦାୟିତ୍ୱ ନେଲେ । ମାତ୍ର ଦଳ ଏଯାଏଁ ତାଙ୍କ ଟିକେଟ ଘୋଷଣା କରିନାହିଁ । ନିକଟରେ ନିଜ ଭୁବନେଶ୍ୱର ବାସଭବନରେ ନିର୍ବାଚନ ମଣ୍ଡଳୀର କାଉନସିଲର ଓ ଜନପ୍ରତିନିଧିଙ୍କୁ ନେଇ ଶକ୍ତି ପ୍ରଦର୍ଶନଠୁ ନେଇ ଟିକେଟ ଲବି ବି ଜାରି ରଖିଛନ୍ତି ରଜନୀକାନ୍ତ ।

ସେହିପରି ବାଲିକୁଦା ଏରସମାର ବିଧାୟକ ରଘୁନନ୍ଦନ ଦାସ । ପ୍ରଥମ ଥର ବିଧାୟକ ହୋଇଥିଲେ ବି ବରିଷ୍ଠତା ଦୃଷ୍ଟିରୁ ଆଶାବାଦୀ ଅଛନ୍ତି ଟିକେଟ ପାଇଁ । ମାତ୍ର ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ ସେ ବି ନିଜ ଅଞ୍ଚଳର ଜନପ୍ରତିନିଧିଙ୍କୁ ନେଇ ରାଜଧାନୀର ସରକାରୀ ବାସ ଭବନରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଜୟପୁର ଆସନରେ ବରିଷ୍ଠ ନେତା ରବି ନନ୍ଦ ଟିକେଟ ପାଇଁ ସମର୍ଥକଙ୍କୁ ଧରି ଭୁବନେଶ୍ୱରରେ ଜଗି ରହିଥିବା ବେଳେ ତାଙ୍କ ଟିକେଟ ବି ଘୋଷଣା ହୋଇନଥିବାରୁ ଆଶଙ୍କା ବଢିଛି । ଗତ ଦୁଇ ଥର ଯାକ ବିଜେଡି ଟିକେଟ ପାଇ ପରାଜିତ ହୋଇଥିବାରୁ ଦଳ ଏଥର ତାଙ୍କୁ ଟିକେଟ ଦେବ କି ନାହିଁ ସେ ଅଙ୍କ କଷୁଛି । ଯାହାକୁ ନେଇ ଛକାପଞ୍ଝା ଜାରି ରହିଛି ।

ସେପଟେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରଠୁ ବିବାଦ ତେଜିଛି । ଖୋଦ୍ ପ୍ରସନ୍ନ ନିଜ ଟିକେଟରେ ଅପ୍ରସନ୍ନ ହୋଇ ସମ୍ବଲପୁରରୁ ନ ଲଢିବାକୁ ଦଳପତିଙ୍କୁ କୁଆଡେ ସଫା ସଫା ଜଣାଇ ଦେଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରସନ୍ନ ରେଢାଖୋଲରୁ ନିର୍ବାଚନ ଲଢିବା ପାଇଁ ଆଗ୍ରହ ଦେଖାଇଥିଲେ । ଯେଉଁଥିପାଇଁ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା । ଆଉ ଏବେ ରେଢାଖୋଲ ଆସନ ପ୍ରସନ୍ନଙ୍କୁ ନ ମିଳିବାରୁ ଅସନ୍ତୋଷ ବଢିଛି।

ସେପଟେ ବିଜେଡି କହିଛି ବରିଷ୍ଠଙ୍କ ଟିକେଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ଠିକ୍ ସମୟରେ ଟିକେଟ ଘୋଷଣା ହେବ। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଜେଡି ପରିବର୍ତ୍ତନ ଆଡ଼କୁ ଯାଉଥିବାରୁ ନୂଆ ପିଢିକୁ ସୁଯୋଗ ଦେଇପାରେ । ଏହାରି ଭିତରେ ନଜର, କେବେ ଆସୁଛି ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଆଉ ତାପରେ ସ୍ପଷ୍ଟ ହେବ ବରିଷ୍ଠଙ୍କୁ ଟିକେଟ ମିଳୁଛି ନା ନାହିଁ ।

  • Reported by:
  • JAGDISH DAS