• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବି କର୍ମୀ ଓ ନେତା ନେବେ ଦଳୀୟ ଏକତାର ଶପଥ, ଯାହାକୁ ନେଇ ଘନେଇଛି ରାଜନୀତି ।

ବିଜେଡି ଖେଳୁଛି ଶପଥ କାର୍ଡ! ଭୋଟ୍ ବ୍ୟାଙ୍କକୁ ସୁରକ୍ଷା ଦେବା ମୂଳ ଉଦ୍ଦେଶ୍ୟ । ନିୟନ୍ତ୍ରଣରେ ନାହାଁନ୍ତି କି ଦଳର ନେତା ଓ କର୍ମୀ? ମନ୍ଦିରରେ ଅସନ୍ତୁଷ୍ଟ ଜନ ପ୍ରତିନିଧିଙ୍କୁ ଏକାଠି କରି ଶପଥ କରାଉଛନ୍ତି ବିଜେଡି ନେତା । ଅଧିକାଂଶ ସ୍ଥାନରେ ଏବେ ବିଜେଡି ପ୍ରାର୍ଥୀ, ଧର୍ମୀୟ ଭାବନାକୁ ନେଇ କରୁଛି ରାଜନୀତି । ବିଭିନ୍ନ ସ୍ଥାନରେ ମନ୍ଦିରରେ ଶପଥ କରାଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦୂତିକେଶ୍ୱର ମନ୍ଦିର । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ କହଁର ବିଜେଡିକୁ ଓ ଅରୁଣ ସାହୁଙ୍କୁ ଭୋଟ୍ ଦେବା ଲାଗି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଶପଥ ପାଠ କରାଇଛନ୍ତି । ଜଣେ ଅଧ୍ୟାପକ ବି ଏହି ଶପଥ ପାଠରେ ଉପସ୍ଥିତ ଥିବାରୁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ସେପଟେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ଭାଲିଆଗଡ଼ ଠାକୁରାଣୀ ମନ୍ଦିରରେ ବି ଶପଥ ପାଠ ହୋଇଛି । ଗ୍ରାମ ଦେବତୀଙ୍କ ପାଖରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାସ କିଛି ବିଜେଡି କର୍ମୀ ଓ ସାଧାରଣ ଲୋକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଶପଥ ଗ୍ରହଣ କରାଇଛନ୍ତି ।

ଏସବୁ କର୍ମୀ ଅସନ୍ତୁଷ୍ଟ ଥିବାରୁ କାଳେ ଏମାନେ ଦଳ ଡିଆଁ ଦେବେ ଆଉ ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ସେଥିଲାଗି ଶପଥ କରାଇଛନ୍ତି । ଏହାକୁ ନେଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛି । ଆଉ ଏହାକୁ ନେଇ ତେଜିଛି ରାଜନୀତି । ସେପଟେ ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବି କର୍ମୀ ଓ ନେତାଙ୍କୁ ଏକାଠି କରି ଶପଥ ପାଠ କରାଯିବ । ଏନେଇ ଦଳ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ ।

ଦଳୀୟ ଶୃଙ୍ଖଳାକୁ ପାଳନ ସହ ଉତ୍ସର୍ଗୀକୃତ ମନୋଭାବ ନେଇ ନବୀନ ଓଡ଼ିଶା ଗଠନ ପାଇଁ ବିଜେଡି ନେତା ଓ କର୍ମୀ ଶପଥ ଗ୍ରହଣ କରିବେ । ତେବେ ଏହି ଶପଥ ପାଠ ମାଧ୍ୟମରେ ଦଳ ବିଦ୍ରୋହକୁ ପ୍ରଶମିତ କରିବାକୁ ଚାହୁଁନି ତ? ସମସ୍ତଙ୍କୁ ଏକ୍ କରି ନିର୍ବାଚନ ବୈତରଣୀ ପାର କରିବାକୁ ଏ ଫନ୍ଦି ନୁହେଁ ତ ?

ଦଳ କହିଛି ଶପଥ ପାଠ ପାଇଁ ଦଳର ନିର୍ଦ୍ଦେଶ ରହିଛି ସତ । କିନ୍ତୁ ଲୋକେ ନିଷ୍ପତ୍ତି ନେଇସାରିଛନ୍ତି ବିଜେଡିକୁ ବିଜୟୀ କରିବାକୁ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଜେଡିରେ ବିଦ୍ରୋହ ତୀବ୍ର । ଶପଥ ପାଠ ମାଧ୍ୟମରେ ଦଳ ଏହାକୁ ପ୍ରଶମିତ କରିବାକୁ ଚାହୁଁଛି ।

  • Reported by:
  • JAGDISH DAS , Jagannath Sahu